୧୨ ବର୍ଷ ପିଲା, ନାଁ ABCDEF GHIJK Zuzu

1 min read

ନୂଆଦିଲ୍ଲୀ: ପିଲାଟିଏ ଜନ୍ମ ହେଲେ ନାମକରଣ ପାଇଁ ପରିବାର ଓ ସମ୍ପର୍କୀୟ କେତେ କ’ଣ ଭାବିଥାନ୍ତି । ପ୍ରାୟ ପ୍ରତି ନାଁ ସହ ଜୋଡ଼ି ହୋଇ ରହିଥାଏ କିଛି ବିଶେଷତ୍ବ । କିଛି ଲୋକ ନିଜ ନାଁ ପାଇଁ ବି ବହୁତ ଫେମସ୍ ହୋଇଛନ୍ତି । ଏହି ଯେମିତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ପିତା ହେବା ପରେ ତାଙ୍କ ପୁଅର ନାଁ X Æ A-12 Musk ରଖିଥିଲେ । ଯାହା ବେଶ ଭାଇରାଲ ହୋଇଥିଲା ଓ ରାତାରାତି X Æ A-12 Muskଙ୍କୁ ସେଲିବ୍ରେଟି କରି ଦେଇଥିଲା । କରୋନା ମହାମାରୀ ଭିତରେ ଏବେ ଏମିତି ଏକ ନାଁ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ବି କହିବେ, ନାଁ ଏମିତି ବି ହୋଇପାରେ ।

ଆଜ୍ଞା ହଁ, ଆମେ କହୁଛୁ ଇଣ୍ଡୋନେସିଆର ୧୨ ବର୍ଷ ବାଳକ  ABCDEF GHIJK Zuzu କଥା । ନାଁ ଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି । ହେଲେ ଏହି ନାଁ ପାଇଁ ବାଳକଟି ଏବେ ସୋସିଆଲ ମିଡ଼ିଆରେ ଫେମସ୍। ଯାହାର ଗୋଟିଏ ଝଲକ ପାଇଁ ଲୋକେ ସୋସିଆଲ ମିଡିଆ ସାଇଟକୁ ଉପରୁ ତଳ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଘାଣ୍ଟୁଛନ୍ତି।

ଲୋକଲୋଚନ ଆଡୁଆଳରେ ଥିବା ABCDEF GHIJK Zuzu ସ୍ଥାନୀୟ ପୋଲିସର କରୋନା ଭ୍ୟାକ୍ସିନେସନ ଅଭିଯାନ ବେଳେ ନଜରକୁ ଆସିଥିଲେ । ଟିକାକରଣ ବେଳେ ABCDEF GHIJK Zuzuଙ୍କ ନାଁ ଜଣେ ପୋଲିସ କର୍ମଚାରୀଙ୍କୁ ଅଜବ ଲାଗିଥିଲା । ସେ ଏହାକୁ ରେକର୍ଡ କରି ନେଇଥିଲେ ।

ପ୍ରଥମେ ପ୍ରଥମେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲାଗିଥିଲା କେହି ମଜାରେ ଏମିତି ନାଁ ଲେଖି ଦେଇଥିବ । ହେଲେ ପିଲାର ଜନ୍ମ ପ୍ରମାଣପତ୍ର ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପ୍ରକୃତରେ ପିଲାର ନାଁ ABCDEF GHIJK Zuzu ।

କେଉଁଠୁ ଆସିଲା ABCDEF GHIJK Zuzu ନାଁ ?

ପ୍ରାୟ ସବୁ ପିଲାଙ୍କ ନାମକରଣ ପଛରେ ବାପାମାଆ ଥାନ୍ତି । ଏଠି ବି ପିଲାଟିର ନାଁ ABCDEF GHIJK Zuzu ହେବା ପଛରେ ରହିଛନ୍ତି ତାଙ୍କ ବାପା ଜୁଲଫାହମି । ପୁଅ ଜନ୍ମ ହେବାର ୬ ବର୍ଷ ପୂର୍ବରୁ ସେ ଏହି ନାଁ ଠିକ କରି ରଖିଥିଲେ । ଜୁଲଫାହମି ପଜଲ୍ସ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏହି କାରଣରୁ ସେ ତାଙ୍କ ପୁଅର ନାଁ ଏମିତି ରଖିଥିବା କୁହନ୍ତି ।

ABCDEF GHIJK Zuzu କହିଛନ୍ତି, ‘ପ୍ରଥମେ ପ୍ରଥମେ ଏମିତି ନାଁକୁ ନେଇ ସେ ବହୁତ ଲଜ୍ୟା ଅନୁଭବ କରୁଥିଲେ । ସାଙ୍ଗସାଥୀ ଥଟ୍ଟା ବି କରୁଥିଲେ । ହେଲେ ଧିରେ ଧିରେ ଅନୁଭବ କଲି ମୋ ନାଁରେ କିଛି ସ୍ବତନ୍ତ୍ରତା ରହିଛି । ଯାହାକୁ ନେଇ ମୁଁ ଏବେ ଗର୍ବ ଅନୁଭବ କରୁଛି ।’

ସୂଚନାଯୋଗ୍ୟ, ଜୁଲଫାହମି ଅନ୍ୟ ପିଲାଙ୍କ ନାଁ ବି ଏହିଭଳି ରଖିବାକୁ ଚାହୁଁଥିଲେ । ସେ ପିଲାଙ୍କ ନାଁ NOPQ RSTUV ଓ XYZ ଦେବାକୁ ସ୍ଥିର କରିଥିଲେ । ହେଲେ ପରିବାର ଲୋକଙ୍କ ବିରୋଧ ପରେ ସେ ତାଙ୍କ ମନ ପରିବର୍ତ୍ତନ କରିଥିଲେ ।

Leave a Reply