ଜାଣନ୍ତୁ ନବମ ଶତାବ୍ଦୀରୁ ପ୍ରତିଷ୍ଠା ହୋଇଥିବା କୁଶଳେଶ୍ୱର ମହାଦେବଙ୍କ ପୀଠ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ସମସ୍ତଙ୍କ ମନବାଞ୍ଚା ପୁରଣ କରି ସର୍ବ କୁଶଳରେ ରହିବା ପାଇଁ ଆଶୀର୍ବାଦ ପ୍ରଦାନ କରୁଥିବା ମହାଦେବ ହେଉଛନ୍ତି କୁଶଳେଶ୍ୱର । ଶହ ଶହ ବର୍ଷରୁ ଭକ୍ତଙ୍କ ଡାକ ଶୁଣି ସେମାନଙ୍କ ଦୁଃଖ ହରଣ କରୁଥିବା କୁଶଳେଶ୍ୱର ମହାଦେବଙ୍କ ମନ୍ଦିରର କଣ ରହିଛ ସଂସ୍କୃତି , କଣ ରହିଛି ଏହାର ଇତିହାସ, କାହିଁକି ଏଠାକୁ ଭକ୍ତଙ୍କ ଧାଡି ଛୁଟେ ।
ନବମ ଶତାବ୍ଦୀର ପ୍ରତିଷ୍ଠା କୁଶଳେଶ୍ୱର ମହାଦେବଙ୍କ ପୀଠ। ଭକ୍ତି ଓ ବିଶ୍ବାସର ସହ ଆରାଧନା କରୁଛନ୍ତି ଭକ୍ତ। ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ଛକ ଠାରୁ ଦକ୍ଷିଣକୁ ୮ କିଲୋମିଟର ଗଲେ ପଡିଥାଏ ଦେଓଗାଁ। ଦେଓଗାଁରେ ପ୍ରତିଷ୍ଠା ହୋଇଛନ୍ତି କୁଶଳେଶ୍ୱର ମହାଦେବ । ଲୋକ କଥା ଅନୁଯାୟୀ ନିକଟସ୍ଥ ଯାଜପୁର ଜିଲ୍ଲାର ଗୌଡ଼ବାହାଳି ନାମକ ଏକ ଗୋଉଡ଼ ବସ୍ତିରୁ ପ୍ରତ୍ୟେକ ଦିନ ଏକ କଳା ଗାଈ ଆସି କୁଷେଇ ନଦୀ ନିକଟରେ ଥିବା କୁଶବଣରେ କ୍ଷୀର ଦେଇଥାଏ । ସ୍ଥାନୀୟ ଲୋକେ ଏହି ଅଲୌକିକ ଘଟଣା ବିଷୟରେ ସେତେବେଳର କୋଶଳ ରାଜ୍ୟର ରାଜା ଯଯାତି କେଶରୀଙ୍କୁ ଜଣାଇବା ପରେ ରାଜା ନିଜେ କୁଶଳେଶ୍ୱର ମଦିରର ନିର୍ମାଣ କରାଇଥିଲେ।
ସେତେବେଳେ ମହାଦେବଙ୍କ ପୂଜାର୍ଚନା ନିମନ୍ତେ ଯାଜପୁର ଅଞ୍ଚଳର କିଛି ବ୍ରାହ୍ମଣ ପରିବାରଙ୍କୁ ଏଇଠାରେ ରଖାଇ ଦେବଗ୍ରାମ ଭାବେ ଗାଁକୁ ନାମିତ କରିଥିଲେ। ଚାଳିଶ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପଞ୍ଚମୁଖୀ ମନ୍ଦିରର ମୁଖ୍ୟ ଦେଉଳ ଉତ୍କଳୀୟ ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ ଜଗମୋହନ ପୀଢ଼ ମନ୍ଦିର ଶୈଳୀ ରେ ନିର୍ମିତ। ଏଥିରେ ଚାରି ଦିଗରେ ଥିବା ଚାରୋଟି ଦୁଆର ମଧ୍ୟରୁ ପୂର୍ବ ଦ୍ୱାରରେ ରହିଛି ଦୁଇଟି ସିଂହମୂର୍ତ୍ତି । ଏଠାରେ ଥିବା ଅନେକ ବୃକ୍ଷ ମଧ୍ୟରେ ଶିବଶକ୍ତି ବୃକ୍ଷ ଅତ୍ୟନ୍ତ ।
ବାବା କୁଶଳେଶ୍ୱରଙ୍କ ବାମ ପାର୍ଶ୍ଵରେ ଶକ୍ତି ସ୍ୱରୂପା ମାଆ ପାର୍ବତୀ ପୂଜା ପାଇଥାନ୍ତି। ମନ୍ଦିର ବେଢାରେ ଏକପାଦ ବିଶିଷ୍ଟ ଘଣ୍ଟାକର୍ଣ୍ଣ ନାମରେ ନାମିତ ଭୈରବ ମୂର୍ତ୍ତି, ଦକ୍ଷିଣ ପାର୍ଶ୍ୱରେ ଅଷ୍ଟଭୁଜ ଗଣେଶ, ଚାରି ଫୁଟ ଉଚ୍ଚତା ବିଶିଷ୍ଟ ପଦ୍ମପାଣି ଅବଲୋକୀ୍ତେଶ୍ୱର ମୂର୍ତ୍ତି, ପଶ୍ଚିମ ଦିଗକୁ ମୁହଁ କରି ରହିଛନ୍ତି ଏକାନନ ଓ ଚତୁର୍ଭୁଜ କାର୍ତ୍ତିକ । ଅନେକ ପର୍ବପର୍ବାଣି ମଧ୍ୟରେ ବାବାଙ୍କର ପ୍ରିୟ ପର୍ଵ ଜାଗର ବହୁ ଆଡମ୍ବର ସହକାରେ ୧୫ ଦିନ ଧରି ଏଠାରେ ପାଳନ କରାଯାଏ।
ବାବାଙ୍କର ଏହି ମନ୍ଦିର ରାଜ୍ୟସରକାର ଙ୍କର ଦେବୋତ୍ତରବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ ମନ୍ଦିରରେ ସମୟେ ସମୟେ କିଛି ସମସ୍ୟା ମଧ୍ୟ ଦେଖାଦେଇଥାଏ। ମୁଖ୍ୟତଃ ସଠିକ ଭାବେ ପ୍ରଚାର ପ୍ରସାର ର ଅଭାବ ଯୋଗୁ ଏତେ ପୁରାତନ ମନ୍ଦିର ଲୋକଲୋଚନ ର ଆଢୁଆଳରେ ରହିଯାଉଥିବା ଅଭିଯୋଗ ହୁଏ।