ୱିମେନ୍ସ ପ୍ରିମିୟର ଲିଗ୍: ରୋମାଞ୍ଚକ ମ୍ୟାଚରେ ଗୁଜୁରାଟକୁ ୩ ୱିକେଟରେ ହରାଇଲା ୟୁପି ୱାରିୟର୍ସ

ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ରୋମାଞ୍ଚକର ମୁକାବିଲାରେ ୟୁପି ୱାରିୟର୍ସ ଗୁଜୁରାଟ ଜିଆଣ୍ଟସକୁ ୩ ୱିକେଟରେ ପରାଜିତ କରିଛି । ୟୁପିକୁ ଶେଷ ୧୮ ଟି ବଲରେ ୩୩ ରନର ଆବଶ୍ୟକତା ଥିଲା । ଟିମର ବ୍ୟାଟର ଗ୍ରେସ ହାରିସ ଦ୍ରୁତତମ ଅର୍ଦ୍ଧଶତକ କରିଥିଲେ ଏବଂ ୟୁପିକୁ ଜିତାଇଥିଲେ । ସେ ୨୬ ଟି ବଲରେ ଅପରାଜିତ ୫୯ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଆଜିର ମ୍ୟାଚରେ ଗୁଜୁରାଟର କିମ ଗାର୍ଥ ୫ ୱିକେଟ ଅକ୍ତିଆର କରିଛନ୍ତି । ହାରିସ ଶେଷ ଭାଗରେ ସୋଫି ଏକ୍ଲେଷ୍ଟନ (ଅପରାଜିତ ୨୨ରନ୍)ଙ୍କ ସହ ମିଶି ୭୦ ରନର ପାର୍ଟନସିପ୍ କରିଥିଲେ ।

ଏମାନଙ୍କ ପୂର୍ବରୁ ୟୁପି ୱାରିୟର୍ସର କିରଣ ନବଗିରେ ୫୩ରନର ଇନିଂସ ଖେଳିଥିଲେ । ଗୁଜୁରାଟ ଜିଆଣ୍ଟସର ବୋଲର କିମ ଗାର୍ଥ ଆଜି ଜବରଦସ୍ତ ବୋଲିଂ କରିଥିଲେ । ହେଲେ ତାଙ୍କର ପ୍ରଦର୍ଶନ ଦଳକୁ ଜିତାଇ ପାରିନଥିଲା । ସେ ଗୋଟିଏ ଓଭରରେ ୩ ବ୍ୟାଟରଙ୍କୁ ପାଭେଲିଅନ୍ ପଠାଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଗୁଜୁରାଟ କ୍ରୀଜକୁ ଓହ୍ଲାଇଥିଲା । ଦଳ ପାୱାରପ୍ଲେ ରେ ୪୫ ରନ୍ କରିଥିଲା । ଏଥିସହିତ ୨ଟି ୱିକେଟ୍ ମଧ୍ୟ ବ୍ୟୟ କରିଥିଲା । ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ହରଲୀନ ଦେଓଲ ଭଲ ପ୍ରଦର୍ଶନ କରିଥିଲେ । ୪୬ ରନର ପାରି ଖେଳି ସେ ଆଉଟ୍ ହୋଇଯାଇଥିଲେ ।

ହରଲୀନଙ୍କ ବ୍ୟତୀତ ଆସଲେ ଗାର୍ଡନର ୨୫ ରନ୍, ସବ୍ବିନେନି ମେଘନା ୨୪ ରନ୍, ଦୟାଲନ ହେମଲତା ୨୧ ରନ୍, ସୋଫିୟା ଡଙ୍କଲି ୧୩ ରନ୍, ସ୍ନେହା ରାଣା ୯ ରନ୍, ସୁଷମା ବର୍ମା ୯ ଏବଂ ଏନାବେଲ ସଦରଲ୍ୟାଣ୍ଡ ୮ ରନ୍ କରିଥିଲେ । ସେହିପରି ୟୁପି ୱାରିୟର୍ସ ପକ୍ଷରୁ ସୋଫି ଏକ୍ଲେଷ୍ଟନ ଏବଂ ଦୀପ୍ତି ଶର୍ମା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଗୁଜୁରାଟ ୨୦ ଓଭରରେ ନିଜର ୬ ୱିକେଟ୍ ବିନିୟମରେ ୧୬୯ ରନ୍ ସଂଗ୍ରହ କରିଥିଲା । ୧୭୦ ରନର ପିଛା କରି ୟୁପି ୱାରିୟର୍ସର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଖରାପ ଆରମ୍ଭ କରିଥିଲେ ।

ଦଳୀୟ ସ୍କୋର ୧୩ ଥିବା ବେଳେ ପ୍ରଥମ ଝଟକା ଆଲିସା ହିଲିଙ୍କ ରୂପରେ ଲାଗିଥିଲା । ଏହାପରେ ସ୍ୱେତା ସେହରାୱତ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ । କିରନ ନଭଗିରେ କିଛି ସମୟ ପାଇଁ ଦଳୀୟ ସ୍ଥିତିକୁ ଆଗକୁ ନେଇଥିଲେ । ୪୩ ଟି ବଲ୍ ଖେଳି ସେ ୫୩ ରନ୍ କରିଥିଲେ । ଦୀପ୍ତି ଶର୍ମା ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଭଲ ପ୍ରଦର୍ଶନ କରିପାରିନଥିଲେ । ଗ୍ରେସ ହାରିସ ଏବଂ ସୋଫିଙ୍କ ଦମଦାର ଅପରାଜିତ ବ୍ୟାଟିଂ ବଳରେ ଦଳ ୧୯.୫ ଓଭର ଚାଲିଥିବା ବେଳେ ୧୭୫ ରନ୍ କରି ମ୍ୟାଚଟିକୁ ଜିତିନେଇଛି ।