ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ବହୁପ୍ରତୀକ୍ଷିତ ଗୋଲ୍ଡ କାର୍ଡ ବିକ୍ରି ଆରମ୍ଭ। ଏନେଇ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଆମେରିକାର ସ୍ଥାୟୀ ନାଗରିକତ୍ବ ଲାଗି ୧ ନିୟୁତ ଡଲାର ଧାର୍ଯ୍ୟ କରାଯାଇଥିବାବେଳେ ଏହି ଅର୍ଥ ଦେଇଥିବା ବ୍ୟକ୍ତିଙ୍କୁ ଆଇନଗତ ଅଧିକାର ମିଳିପାରିବ। ପ୍ରଥମେ ଗୋଲ୍ଡ କାର୍ଡ ବାବଦ ଦେୟ ୫ ନିୟୁତ ଡଲାର ଧାର୍ଯ୍ୟ କରାଯାଇଥିଲା। ମାତ୍ର ପରେ ଏହାକୁ ୧ ନିୟୁତ ଡଲାରକୁ ହ୍ରାସ କରାଯାଇଥିଲା। ଏହି କାର୍ଡ ବିଶେଷ କରି ଧନୀକ ବିଦେଶୀ ନିବେଶକଙ୍କ ଲାଗି ଉଦ୍ଦିଷ୍ଟ। ଅଧିକ ରାଜସ୍ବ ସଂଗ୍ରହ ଓ ଧନଶାଳୀ ବ୍ୟକ୍ତିଙ୍କୁ ଆମେରିକା ନାଗରିକତ୍ବ ପ୍ରକ୍ରିୟାରେ ସାମିଲ କରିବା ଲାଗି ଏହା ଉଦ୍ଦିଷ୍ଟ। ଏହି ପ୍ରକ୍ରିୟାରେ EB-1 କିମ୍ବା EB-2 ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇପାରିବ। EB-1 ଭିସା ହେଉଛି ଏକ ନିଯୁକ୍ତିଭିତ୍ତିକ ପ୍ରକ୍ରିୟା ଯାହାକୁ ଗବେଷକ, ବହୁରାଷ୍ଟ୍ରୀୟ ଏକଜିକ୍ୟୁଟିଭ, ମ୍ୟାନେଜର, ଉଲ୍ଲେଖନୀୟ କାର୍ଯ୍ୟରେ ନିୟୋଜିତ ପ୍ରଫେସନାଲଙ୍କୁ ଦିଆଯାଇଥାଏ। ବିପୁଳ ଆର୍ଥିକ ଉପହାର ଆଧାରରେ ଧନଶାଳୀ ବ୍ୟକ୍ତିଙ୍କୁ ଆମେରିକୀୟ ମୁଖ୍ୟ ଅର୍ଥନୈତିକ ସ୍ରୋତରେ ସାମିଲ କରିବା ଲାଗି ଗୋଲ୍ଡ କାର୍ଡ ଉଦ୍ଦିଷ୍ଟ। ୧ ନିୟୁତ ଡଲାର ଦେଉଥିବା ବ୍ଯକ୍ତିମାନେ ଏପରି ଏକ କମ୍ପାନୀ ପ୍ରତିଷ୍ଠା କରିଥିବେ ଯେଉଁମାନେ ଅତି କମରେ ୧୦ ଜଣଙ୍କୁ ନିଯୁକ୍ତି ଦେଇଥିବେ। ଏ ବାବଦରେ ସଂଗୃହୀତ ଅର୍ଥ ଆମେରିକା ରାଜସ୍ବରେ ସାମିଲ ହେବ।

