କେଉଁଠି ସୃଷ୍ଟି ହୋଇଥିଲା କରୋନା ଭୂତାଣୁ? କହିବ ଆମେରିକା

1 min read

ନୂଆଦିଲ୍ଲୀ: ପଦାକୁ ଆସିପାରେ ଭୟାନକ କୋଭିଡ ଉତ୍ପତ୍ତିର କାରଣ । କେଉଁଠି ଏହି ମାରାତ୍ମକ ଭୂତାଣୁର ସୃଷ୍ଟି ହୋଇଥିଲା ସେନେଇ ଆଗକୁ ବଢ଼ିଛି ଆମେରିକା । କୋଭିଡର ଉତ୍ପତ୍ତି ସମ୍ପର୍କରେ ସମସ୍ତ ଗୁଇନ୍ଦା ତଥ୍ୟକୁ ପ୍ରକାଶ କରିବା ଲାଗି ଆମେରିକା ପ୍ରତିନିଧି ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ପ୍ରସ୍ତାବ ସପକ୍ଷରେ ୪୧୯ ଭୋଟ ମିଳିଥିବାବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡିନାହିଁ ।

ଏହି ପ୍ରସ୍ତାବର ଚୂଡ଼ାନ୍ତ ଅନୁମୋଦନ ଲାଗି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟକୁ ପଠାଯାଇଛି । ତେବେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ଗ୍ରୀନ ସିଗନାଲ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତିନି ବର୍ଷ ତଳେ ସୃଷ୍ଟି ହୋଇଥିବା ଭୟଙ୍କର ମହାମାରୀକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି ।

କେଉଁଠାରୁ ଏହି ଭାଇରସର ଉତ୍ପତ୍ତି ଘଟିଛି ତାହାକୁ ନେଇ ନାନା ପ୍ରକାର ମତ ପ୍ରକାଶ ପାଇଆସିଛି । ଆମେରିକା ହାଉସ ଇଣ୍ଟେଲିଜେନସ କମିଟିର ଅଧ୍ୟକ୍ଷ କହିଛନ୍ତି କୋଭଡ-19 ସମ୍ପର୍କିତ ସମସ୍ତ ତଥ୍ୟ ସମ୍ପର୍କରେ ଜାଣିବା ଲାଗି ଆମେରିକୀୟମାନଙ୍କ ଅଧିକାର ରହିଛି । ଏହି ଭୟାନକ ଭୂତାଣୁ ବାସ୍ତବରେ କୌଣସି ଲାବରେଟୋରିରୁ ଉତ୍ପତ୍ତି ହୋଇଛି ନା ସ୍ବାଭାବିକ ଭାବେ ସୃଷ୍ଟି ହୋଇଛି ତାହାର ସତ୍ୟତା ସ୍ପଷ୍ଟ ହେବା ଆବଶ୍ୟକ ।

ବିଶେଷ କରି ଚୀନର ଉହ୍ବାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିରୁ ଏହି ଭୂତାଣୁର ଉତ୍ପତ୍ତି ଘଟିଛି ବୋଲି ବିଭିନ୍ନ ମହଲରୁ ଆଶଙ୍କା କରାଯାଉଥିବାବେଳେ ଆମେରିକୀୟ ଗୁଇନ୍ଦା ରିପୋର୍ଟ କଣ କହୁଛି ସେ ସମ୍ପର୍କରେ ସସପେନସ ଜାରି ରହିଛି । ଏହି ଭୟାନକ ସଂକ୍ରମଣକୁ ଏକ ମହାମାରୀ ବୋଲି ଗତ 2020 ମାର୍ଚ୍ଚ 11 ତାରିଖରେ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କୋଭିଡର ଚୀନ ଲିଙ୍କ୍ ନେଇ ମଧ୍ୟ ଆମେରିକୀୟ ଗୁଇନ୍ଦା ସଂସ୍ଥାରେ ମତପାର୍ଥକ୍ୟ ଜାରି ରହିଛି । ଓ୍ବାର୍ଲଡୋମିଟରର ସୂଚନା ଅନୁସାରେ ଏହି ମହାମାରୀରେ କେବଳ ଆମେରିକାର ୧୦ ଲକ୍ଷ ଲୋକଙ୍କ ସମେତ ବିଶ୍ବର ୬୮ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

ବିଶ୍ବରେ ସଂକ୍ରମିତ ହୋଇଥିଲେ ପ୍ରାୟ ୬୮ କୋଟି ୧୪ ଲକ୍ଷ ଲୋକ । ଭାରତରେ ପ୍ରାଣ ହରାଇଥିଲେ ୫ ଲକ୍ଷ ୩୦ ହଜାରରୁ ଅଧିକ । ତେବେ ବାସ୍ତବ ସଂଖ୍ୟା ଏହି ସଂଖ୍ୟାଠାରୁ ବହୁ ଅଧିକ ବୋଲି କୁହାଯାଉଛି ।