ନନ୍ଦିଘୋଷ ବ୍ୟୁରୋ : ଖୁବ ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ। ଏହି ସଂକେତ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ହ୍ଵାଇଟ ହାଉସରେ ସେ କହିଛନ୍ତି, ୨ ରୁ ୩ ସପ୍ତାହ ଭିତରେ ଆମେ ଇରାନ ଛାଡ଼ିବୁ। ଇରାନ ସହିତ ଡିଲ୍ ନ ହେଲେ ମଧ୍ୟ ଆମେ ଯୁଦ୍ଧ ବନ୍ଦ କରିବୁ। ଯୁଦ୍ଧ ବନ୍ଦ କରିବା ପାଇଁ ଇରାନ ସହିତ ଡିଲ୍ ହେବା ଜରୁରୀ ନୁହେଁ। ଯୁଦ୍ଧ ଜାରି ରଖିବାର ଆଉ କୌଣସି କାରଣ ନାହିଁ। ସେହି କାମ ଏବେ ଫ୍ରାନସର। ଯିଏ ବି ହର୍ମୁଜ ପ୍ରଣାଳୀ ବ୍ଯବହାର କରିବ, ସେ ଯୁଦ୍ଧ କରୁ। ଇରାନରେ ସରକାର ବଦଳିଛି। ନୂଆ ସରକାର ସହିତ ଆଲୋଚନା ଚାଲିଛି। ତେବେ ସରକାର ପରିବର୍ତ୍ତନ ମୋର ଲକ୍ଷ୍ୟ ନ ଥିଲା। ଏକମାତ୍ର ଟାର୍ଗେଟ ଥିଲା ଆଣବିକ ଅସ୍ତ୍ର ହାସଲରୁ ଇରାନକୁ ବିରତ ରଖିବା। ସେହି ଲକ୍ଷ୍ୟ ପୂରଣ ହୋଇଛି। ସେମାନେ ଆଉ ଆଣବିକ ଅସ୍ତ୍ର ହାସଲ କରିପାରିବେ ନାହିଁ। ଆମେ ଆମର କାମ ଶେଷ କରିବୁ । ୨ ସପ୍ତାହରେ ଏହା ଶେଷ ହେବ ବୋଲି ଟ୍ରମ୍ପ ବାହସ୍ଫୋଟ ମାରିଛନ୍ତି। ଇରାନରେ ଆମେ ଯାହା କରିଛୁ, ପୁଣି ଥରେ ନିର୍ମାଣ କରିବାକୁ ସେମାନଙ୍କୁ ୧୫ରୁ ୨୦ ବର୍ଷ ଲାଗିବ। ସେମାନଙ୍କର ନେଭି ନାହିଁ, ମିଲିଟାରି ନାହିଁ, ବାୟୁସେନା ନାହିଁ, ଟେଲି କମ୍ଯୁନିକେସନ ନାହିଁ, ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ ନାହିଁ, କୌଣସି ବଡ଼ ନେତା ନାହାନ୍ତି। ସମସ୍ତେ ନିହତ। ନୂଆ ନେତାମାନେ ଭଲ ବୋଲି କହିଛନ୍ତି ଟ୍ରମ୍ପ। ଫେବୃଆରି ୨୮ରୁ ଆରମ୍ଭ ହୋଇଥିଲା ଇରାନ ଯୁଦ୍ଧ। ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ। ପ୍ରଥମ ଦିନରେ ହିଁ ଇରାନର ସର୍ବୋଚ୍ଚ ନେତା ଆୟାତୋକ୍ଲା ଅଲି ଖୋମିିନେଇ ନିହତ ହୋଇଥିଲା। ତା ପରେ ପରେ ଅନେକ ବଡ଼ ବଡ଼ ସାମରିକ ଅଧିକାରୀ, ପୂର୍ବତନ ରାଷ୍ଟ୍ରପତି ନିହତ ହୋଇଥିଲେ। କାଉଣ୍ଟର ଆଟାକରେ ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ଶିବିର ଉପରେ ଆକ୍ରମଣ କରିଥିଲା ଇରାନ। ପ୍ରାୟ ୧୫ଟି ଦେଶକୁ ବ୍ୟାପିଥିଲା ଯୁଦ୍ଧ। ଏଥିରେ ଇରାନର ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରା ଯୁଦ୍ଧରେ ପ୍ରାୟ ୧୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ପ୍ରଭାବିତ ହୋଇଛନ୍ତି ପ୍ରାୟ ଅଧ କୋଟି ଲୋକ।

