ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ : ୨ ମୃତ, ୧୭ ଆହତ
1 min read
ନନ୍ଦିଘୋଷ ବ୍ୟୁରୋ : ଆମେରିକାର ମିନେସୋଟାର ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା। ଗୁଳିମାଡରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି। ମିନେସୋଟାର ମିନେପଲିସସ୍ଥିତ ଆନୁନସିଏସନ କାଥୋଲିକ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରି ବନ୍ଧୁକଧାରୀଜଣକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃଡ ୨ ଶିଶୁଙ୍କ ବୟସ ୮ ବର୍ଷ ଓ ୧୦ ବର୍ଷ ଥିବା ଜଣାଯାଇଛି। ବନ୍ଧୁକଧାରୀଙ୍କ ନାମ ରବିନ ୱେଷ୍ଟମ୍ୟାନ ବୋଲି ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିନେପଲିସ ପୋଲିସ ମୁଖ୍ୟ ବ୍ରିଆନ ଓହାରା କହିଛନ୍ତି- ସ୍ଥାନୀୟ ହସ୍ପିଟାଲରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ଏକ ରାଇଫଲ, ଏକ ସର୍ଟଗନ ଓ ଏକ ପିସ୍ତଲ ଧରି ହତ୍ୟାକାରୀ ସ୍କୁଲ ଭିତରେ ପଶିଥିଲା ଏବଂ ଏହି ସମସ୍ତ ଅସ୍ତ୍ରରେ ପିଲାଙ୍କ ଉପରକୁ ଗୁଳିମାଡ କରିଥିଲା। ସ୍କୁଲରେ ଥିବା ଏକ ଚର୍ଚ୍ଚର ଝରକାରୁ ସେ ଗୁଳିମାଡ କରିଥିଲା। ଆନୁନସିଏସନ କାଥୋଲିକ ସ୍କୁଲ ଏକ ଘରୋଇ ସ୍କୁଲ ଓ ସେଥିରେ ୩୯୫ ଛାତ୍ରଛାତ୍ରୀ ପଢୁଥିଲେ। ନିରୀହ ପିଲାଙ୍କ ଉପରେ ଗୁଳିମାଡକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗୁଳିକାଣ୍ଡ ପରେ ସ୍କୁଲକୁ ଖାଲି କରିଦିଆଯାଇଛି। ସ୍କୁଲରେ ପ୍ରିକିଣ୍ଡରଗାର୍ଟନରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏହି ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏହାର ତଦନ୍ତ ଏଫବିଆଇ କରୁଛି ବୋଲି ସେ କହିଛନ୍ତି।