ଭାରତ ପାଇଁ ଆମେରିକାର ଟ୍ରାଭେଲ ଆଡଭାଇଜରି

1 min read

ନନ୍ଦିଘୋଷ ବ୍ୟୁରୋ : ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା। ବିଶେଷ କରି ଭାରତର କେତେକ ରାଜ୍ୟରେ ଏକାକୀ ଯାତ୍ରା କରିବା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଏଥିରେ କୁହାଯାଇଛି। ଦୁଷ୍କର୍ମ, ହିଂସା ଓ ଆତଙ୍କବାଦର ଆଶଙ୍କା ଦର୍ଶାଇ ଏହି ଆଡଭାଇଜରି ଜାରି କରାଯାଇଛି। ଜୁନ ୧୬ ତାରିଖରେ ଜାରି କରାଯାଇଥିବା ଲେଭଲ ୨ ର ଏହି ଆଡଭାଇଜରିରେ କୁହାଯାଇଛି ଯେ, ଅପରାଧ ଓ ଆତଙ୍କବାଦ ପାଇଁ ଯାତ୍ରା କରିବା ବିପଦପୂର୍ଣ୍ଣ। ଏହା ସହିତ ଭାରତରେ ଦୁଷ୍କର୍ମ ବଢୁଛି। ପର୍ଯ୍ୟଟନସ୍ଥଳୀରେ ବି ଦୁଷ୍କର୍ମ କରାଯାଉଛି। ଅତର୍କିତ ଆକ୍ରମଣ କରୁଛନ୍ତି ଆତଙ୍କବାଦୀ। ପର୍ଯ୍ୟଟନସ୍ଥଳୀ, ପରିବହନ ହବ୍‌ ମାର୍କେଟ, ସପିଂ ମଲ୍‌, ସରକାରୀ ଅଫିସକୁ ଆତଙ୍କବାଦୀ ଟାର୍ଗେଟ କରିବାର ଆଶଙ୍କା ଅଛି। ଗ୍ରାମାଞ୍ଚଳରେ ଆମେରିକା ନିଜ ନାଗରିକଙ୍କୁ ଜରୁରୀକାଳୀନ ସୁବିଧା ପ୍ରଦାନ କରିପାରିବ ନାହିଁ। ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗରେ ଏହି ସବୁ ବିପଦ ରହିଛି। ଭାରତରେ ଚାକିରି କରୁଥିବା ଆମେରିକୀୟ ନାଗରିକ ଏହି ସବୁ ରାଜ୍ୟକୁ ଯିବା ପୂର୍ବରୁ ଅନୁମତି ନେବା ପାଇଁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା। କଣ କରିବେ, କଣ ନ କରିବେ, ତାହ ଏକ ତାଲିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଜାରି କରାଯାଇଛି। ସାଟେଲାଇଟ ଫୋନ୍ ନେବା ଭାରତରେ ବେଆଇନ, ଏଥିପାଇଁ ଜେଲ୍ ବି ହୋଇପାରେ। ମହିଳାମାନେ ଏକାକୀ ଯାତ୍ରା କରନ୍ତୁ ନାହିଁ। ଜାମ୍ମୁ କାଶ୍ମୀର, ଭାରତ-ପାକ ସୀମା, ମଧ୍ୟ ଓ ପୂର୍ବ ଭାରତରେ ଯାତ୍ରା କରିବା ବେଳେ ସତର୍କ ରହିବାକୁ ଆମେରିକା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟକୁ ଗଲେ ପୂର୍ବରୁ ଅନୁମତି ନେବାକୁ ଭାରତରେ ଚାକିରି କରୁଥିବା ନିଜ ନାଗରିକଙ୍କୁ କହିଛି ଆମେରିକା। ତେବେ ଯଦି ଏହି ସବୁ ରାଜ୍ୟର କେବଳ ରାଜଧାନୀକୁ ଯାଉଥାନ୍ତି, ତେବେ କୌଣସି ଅନୁମତି ଦରକାର ନାହିଁ। ମଣିପୁର, ନେପାଳ ସୀମାନ୍ତକୁ ମଧ୍ୟ ନ ଯିବା ପାଇଁ କୁହାଯାଇଛି।