ନନ୍ଦିଘୋଷ ବ୍ୟୁରୋ : ଟାରିଫ ହ୍ରାସ ପରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷାର ନୂଆ ସମ୍ପର୍କ । ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ହେବ 3 ବିଲିୟନ ଡଲାରର ପ୍ରତିରକ୍ଷା ଡିଲ ।ଆମେରିକାଠାରୁ ଭାରତ କିଣିବ 6ଟି P-8I ବୁଡ଼ାଜାହାଜ ବିଧ୍ବଂସୀ ତଥା ସାମୁଦ୍ରିକ ସର୍ଭେଲାନ୍ସ ଏୟାରକ୍ରାଫ୍ଟ । ଏହି ବିମାନ ଜରିଆରେ ଭାରତ ନିଜର ସାମୁଦ୍ରିକ ସୁରକ୍ଷା କରିବା ସହ ନୌସେନାକୁ ଶକ୍ତିଶାଳୀ କରିପାରିବ । ଦେଶର ବିଶାଳ ସାମୁଦ୍ରିକ ଅଞ୍ଚଳରେ ଦିନକୁ ଦିନ ନିରାପତ୍ତା ବିପନ୍ନ ହେଉଥିବା ଯୋଗୁ ଭାରତ ଏହି ବିମାନ କ୍ରୟ ଲାଗି ଯୋଜନା କରିଛି । ବର୍ତ୍ତମାନ ଭାରତ ନିକଟରେ 12ଟି P-8I ସାମୁଦ୍ରିକ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ରହିଛି । ଏସବୁ ତାମିଲନାଡୁର ଆରାକୋନାମ ଓ ଗୋଆରେ ରହିଛି । ବିଶେଷ କରି ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ଲାଗି ଏସବୁ ମୁତୟନ କରାଯାଇଛି । ଖୁବ୍ ଶୀଘ୍ର ଏହି ଏୟାରକ୍ରାଫ୍ଟ କିଣିବା ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେବ । ପରେ ଏହାକୁ ମଞ୍ଜୁର କରିବ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି । ଏହି ଧରଣର ବିମାନ କିଣିବା ଲାଗି ଭାରତ ଦୀର୍ଘଦିନ ଧରି ଚାହୁଁଥିଲା । ମାତ୍ର ଉଚ୍ଚ ଦର କାରଣରୁ ଏହି ପ୍ରସ୍ତାବ ଚୂଡ଼ାନ୍ତ ହୋଇପାରୁ ନଥିଲା । ଏହି ବିମାନ ଜରିଆରେ ଚୀନ ଓ ପାକିସ୍ତାନ ଆଡୁ ସୃଷ୍ଟି ହେଉଥିବା ବିପଦର ମୁକାବିଲା ସହଜ ହେବ ।

