କରୋନା କଟକଣାରେ ରବିବାର ଭୋଟ୍ ଗଣତି, କିଏ କରିବ ବାଜିମାତ୍…

1 min read

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ହେବ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ କୋଭିଡ କଟକଣା ଓ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୯୪ ସିଟରେ ଭୋଟ ଗଣତି ହେବ ।

ସୂଚନା ଅନୁଯାୟୀ, ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଯାହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ମାର୍ଚ୍ଚ ୨୭ରୁ ଭୋଟିଂ ଆରମ୍ଭ ହୋଇ ଗତ ୨୯ ତାରିଖ ଭିତରେ ସମସ୍ତ ପର୍ଯ୍ୟାୟ ମତଦାନ ହୋଇଥିଲା । ତିନୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ଆସାମରେ ତିନୋଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ଏକଜିଟ୍‌ ପୋଲ ଅନୁସାରେ ପଶ୍ଚିମବଙ୍ଗରେ ମମତାଙ୍କ ସରକାର ପୁଣି ଫେରୁଥିବା ବେଳେ ତାମିଲନାଡୁରେ ସରକାର ବଦଳିପାରେ । ଆସାମରେ ପୁଣି ଥରେ ବିଜେପି ସରକାର ଆସିବ ବୋଲି ଅନୁମାନ କରାଯାଉଛି ।

ଦୀର୍ଘ  ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନର ଅନ୍ତ ଘଟିଥିବା ବେଳେ ଆସନ୍ତାକାଲି ଭୋଟ୍ ଗଣତି । ଏହା ମଧ୍ୟରେ ଦିଦି- ମୋଦିଙ୍କ ଭିତରେ କିଏ ବାଜି ମାରିବ, କିଏ ବିଜୟ ମୁକୁଟ ପିନ୍ଧିବ ପୁଣି କିଏ ବନବାସ ଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ଜାରି କରିଛନ୍ତି। ଯାହା ପରେ ଜନତାଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଆଶା ଆକାଂକ୍ଷା ଦେଖାଦେଇଛି ।

ଅଧିକ ପଢନ୍ତୁ- ପୁଣି ଥରେ ଦିଦି, ଶହେରୁ ଅଧିକରେ ମୋଦି: ଏକଜିଟ ପୋଲ କହିଲା ଖେଲୋ ହବେ..

ଅନ୍ୟପଟେ ଏକଜିଟ୍ ପୋଲ୍ ଅନୁସାରେ ପୁଡୁଚେରୀରେ କଂଗ୍ରେସ ହାତରୁ ଖସିପାରେ କ୍ଷମତା । ପ୍ରାୟତଃ ଏକଜିଟ୍ ପୋଲରେ ପୁଡୁଚେରୀରେ ବିଜେପି ସରକାର ଗଢିବା ନେଇ ଅନୁମାନ କରାଯାଇଛି। ରିପବ୍ଲିକର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟକୁ୧୬ରୁ ୨୦ ଓ କଂଗ୍ରେସ ମେଣ୍ଟ ୧୧ରୁ ୧୩ଟି ଆସନ ମିଳିବ। ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଛନ୍ତି ନିଜ ଦଳର ବିଧାୟକମାନେ। ଦଳବଦଳ ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ କ୍ଷମତା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା।

ଅଧିକ ପଢନ୍ତୁ- ଆସାମ-କେରଳରେ ବଦଳିବନି ସରକାର, ବିରୋଧି ଉପରେ ନାହିଁ ଭରସା !

Leave a Reply