ସାବଧାନ ! ଟିକା ନନେଲେ ଚାକିରି ଯିବ

ନୂଆଦିଲ୍ଲୀ: କରୋନା ମହାମାରୀ ପୂରା ବିଶ୍ବକୁ କବଳିତ କରିଥିବା ବେଳେ ସବୁ ଦେଶ ଟିକା ଉପରେ ଗୁରୁତ୍ବ ଦେଉଛନ୍ତି । ଟିକା କରୋନାକୁ ହରାଇ ପାରୁନଥିଲେ ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଏହି ମହାମାରୀ ବିରୋଧରେ ଲଢିବାକୁ ଆମକୁ ସକ୍ଷମ କରୁଛି । ଏଣୁ ଟିକା ନେଇ କରୋନା ଜନିତ ମୃତ୍ୟୁମୁଖରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଆମ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ହେଲେ ଏମିତି ବି କିଛି ସ୍ଥାନ ଓ ସଂସ୍ଥା ଅଛନ୍ତି ଯେଉଁଠି ଲୋକେ ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି । ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ଦେଖନ୍ତୁ । ନିଜ କର୍ମଚାରୀଙ୍କୁ ତୁରନ୍ତ ଟିକା ନେବାକୁ ଡେଡଲାଇନ ଜଣାଇ ଦେଇଛି ସଂସ୍ଥା । ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନନେଲେ ଚାକିରି ହରାଇବାକୁ ପଡ଼ିବ ବୋଲି ଗୁଗୁଲ ପକ୍ଷରୁ ଚେତାବାନୀ ଦିଆଯାଇଛି ।

ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯଦି ଟିକା ନେଇନାହଁ ଶୀଘ୍ର ନେଇଯାଆ । ଟିକା ନିୟମ ଉଲ୍ଲଂଘନ କଲେ ହେବ ଦରମା ବନ୍ଦ । କେବଳ ଏତିକି ନୁହେଁ, ପରବର୍ତ୍ତୀ ଅବସ୍ଥାରେ ଚାକିରି ବି ହରାଇବାକୁ ପଡ଼ିପାରେ ।

ସୂଚନାଯୋଗ୍ୟ, ସବୁ କର୍ମାଚାରୀଙ୍କୁ କମ୍ପାନୀ ପକ୍ଷରୁ ଡିସେମ୍ବର 3 ଡେଡଲାଇନ ଦିଆଯାଇଥିଲା । ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜର ଟିକା ସାର୍ଟିଫିକେଟ ବା ଟିକା ନେବା ଲାଗି ଆବେଦନ ପତ୍ର, ଟିକା ନନେବାର କାରଣ ଆଦି ଅପଲୋଡ କରିବାକୁ କୁହାଯାଇଥିଲା । ପରେ ଯେଉଁମାନେ ଏହି ପ୍ରକ୍ରିୟା ଶେଷ କରିନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ଜାନୁଆରୀ 18 ସୁଦ୍ଧା ଟିକାଦାନ ନିୟମ ଅନୁସାରେ ଅପଡେଟ କରିବାକୁ କୁହାଯାଇଛି । ଏପରି ନକଲେ ସେମାନଙ୍କୁ 30 ଦିନ ଛୁଟିରେ ରହିବାକୁ ପଡିବ । ଏହାପରେ ବି ନିୟମ ନମାନିଲେ 6 ମାସ ଯାଏଁ ବିନା ଦରମାରେ ବ୍ୟକ୍ତିଗତ ଛୁଟି ନେଇ ରହିବେ । ପରେ ସେମାନଙ୍କୁ ବାହାର କରିଦିଆଯିବା ପରି ପଦକ୍ଷେପ ନିଆଯିବ ।

ଓମିକ୍ରନ ଘନୀଭୂତ ହେଉଥିବାରୁ ଚଳିତ ମାସରେ ଅଫିସ ଆସିବା ନିୟମକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ଆମେରିକାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 8 ଲକ୍ଷ ପାର୍ ହୋଇଛି । ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ପ୍ରତିନିଧି ସବା ଓ ସିନେଟରେ ନୀରବ ପ୍ରାର୍ଥନା କରାଯାଇଛି ।

Leave a Reply