ପାଣି ପାଇଁ ଡହଳ ବିକଳ ଗୁଣ୍ଠପଡ଼ା ଗାଁ ଲୋକେ

ପୋଲସରା : ଅଚଳ ନଳକୂପ । ଶୁଖିଗଲାଣି କୂଅ ପୋଖରୀ । ଭାଙ୍ଗି ଗଲାଣି ଷ୍ଟାଣ୍ଡ ପୋଷ୍ଟ ଆଉ ପାଣିଟାଙ୍କି । ଘରକୁ ସଂଯୋଗ ହୋଇଛି ପାଣି ପାଇପ । ହେଲେ ପାଣି ପାଇଁ ଲୋକେ ଡହଳ ବିକଳ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଣ୍ଠପଡ଼ା ଗାଁର ଦୃଶ୍ୟ । ଉତ୍କଟ ଜଳକଷ୍ଟ ଭୋଗୁଛନ୍ତି ଗାଁର ୨ ଶହ ପରିବାର । ଲୋକଙ୍କୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୧୦ ବର୍ଷ ତଳୁ ବସୁଧା ଯୋଜନାରେ ନିର୍ମାଣ ହୋଇଥିଲା ପାଣିଟାଙ୍କି । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ଯୋଗୁ ନଳକୂଅ ମରାପତି ହୋଇନି କି ଟାଙ୍କିରେ ପାଣି ରହୁନି ।
ଅନେକ କୂଅ ପୋଖରୀ ଶୁଖି ଯାଇଥିବା ବେଳେ ନଳକୂପ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି । ଗୋଟିଏ ନଳକୂଅରୁ ଆସୁଛି ପାଣି । ପାଣି ନେବା ପାଇଁ ଗରାମଠିଆ ଧରି ଲୋକଙ୍କ ଭିଡ଼ ଜମୁଛି । ଗାଁ ଲୋକେ ସମାଧାନ ପାଇଁ ଖାଲି ପ୍ରଶାସନକୁ ଜଣାଇନାହାନ୍ତି । ଏ ବିଷୟରେ ଜନପ୍ରତିନିଧି ବି ସବୁ ଜାଣି ଚୁପ । ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି ।