ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୧୧ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ବର୍ଷାରେ ଲାଗିବନି ବ୍ରେକ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ କାଚିବା ପରେ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ୧୧ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ମୌସୁମୀ ନିମ୍ନଚାପରେଖା ତାର ସ୍ବାଭାବିକ ଅବସ୍ଥାକୁ ଫେରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଛତିଶଗଡ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ଶନିବାର ଏବଂ ରବିବାର ବର୍ଷାର ପରିମାଣ କମିବ । ସାମାନ୍ୟ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ଷା କମିଲେ ମଧ୍ୟ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର ଏବଂ ସୋନପୁରକୁ ସତର୍କତା ଜାରି କରାଯାଇଛି । ସେହିଭଳି ଆସନ୍ତାକାଲି ୧୦ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ସହ ୧୨ ଏବଂ ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଛି । ୧ ସେପ୍ଟେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୂରା ମୌସୁମୀ ସିଜିନ୍ରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।