କୋଭିଡ-୧୯ ପରିଚାଳନାରେ ଗଣମାଧ୍ୟମର ଭୂମିକାକୁ ନେଇ ୱେବିନାର

1 min read
Webinar on the role of the media in the management of Covid-19

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯ ପରିଚାଳନାରେ ଗଣମାଧ୍ୟମ”ର ଭୂମିକାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା ଲାଗି ସେ ଆହ୍ୱାନ କରିଥିଲେ । ଏହି ଭର୍ଚୁଆଲ ଆଲୋଚନା ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରି କରୋନା ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିରଭଟ୍ଟ ମିଶ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରି ମହାମାରୀର ଏହି ସଙ୍କଟପୂର୍ଣ୍ଣ ସମୟକୁ ଦ୍ୱାପର ଯୁଗର ଯଦୁବଂଶ ଧ୍ୱଂସ ସମୟର ସ୍ଥିତି ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ପାଇଁ ଏବେ ଏକ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ଗଣମାଧ୍ୟମରେ ରାଜସ୍ୱ ଓ କର୍ମଚାରୀ ହ୍ରାସ ପାଇଛନ୍ତି । ସାମ୍ବାଦିକମାନେ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଥିବା ଯୋଗୁ ଖବର ସଂଗ୍ରହ ବାଧାପ୍ରାପ୍ତ ହେଉଛି । ଏହା ସତ୍ୱେ ସକାରାତ୍ମକ ଖବର ସଂଗ୍ରହ କରିବା ବର୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମ ଶେଷରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା । ଆଲୋଚନାରେ ଅଂଶଗ୍ରହଣ କରିଥିବା ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । ତେବେ ଅନ୍ୟମାନଙ୍କ ମଧ୍ୟରେ ତଥାଗତ ଶତପଥୀ, ଗୌରହରି ଦାସ, ସନ୍ଦୀପ ମିଶ୍ର, କୃପାସିନ୍ଧୁ ମିଶ୍ର, ବିଏନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply