ପଶ୍ଚିମବଙ୍ଗରେ ବିଜେପି ହାରିନି, ଧୋଇ ହୋଇ ଯାଇଛି

1 min read

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଉପ-ନିର୍ବାଚନରେ ମଧ୍ୟ ​​ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। କେବଳ ଏତିକି ନୁହେଁ, ଏଥର ବିଜେପିର ଭୋଟ୍ ପ୍ରତିଶତ ମଧ୍ୟ ବହୁତ ତଳକୁ ଆସିଛି। ଉପ-ନିର୍ବାଚନରେ ​​୧୪.୫୦ ପ୍ରତିଶତ ଭୋଟ୍ ମିଳିଛି ଯାହା ୨୦୨୧ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ଠାରୁ ବହୁତ କମ୍।

ବିଧାୟକଙ୍କ ସଂଖ୍ୟା ମଧ୍ୟ ୭୭ରୁ ୭୦କୁ ହ୍ରାସ ପାଇଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାକୁ ନେଇ ଟିଏମସିକୁ ଘେରିବାକୁ ବିଜେପି ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ। ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ଟିଏମସି ବାଜିମାତ୍ କରିଛି । ବିଜେପି ହାତରୁ ଦିନହାଟା ଓ ଶାନ୍ତିପୁର ଆସନକୁ ମଧ୍ୟ ଛଡାଇ ନେଇଛି ଟିଏମସି । ଦିନହାଟା ଓ ଶାନ୍ତିପୁର ବ୍ୟତୀତ ଗୋସାବା ଓ ଖରଦାହରେ ଜିତ୍ ହାସଲ ସହ ୭୪.୯୯ ପ୍ରତିଶତ ଭୋଟ୍ ହାତେଇଛି।

ଦିନହାଟାରେ ଟିଏମସିର ଉଦୟନ ଗୁହା, ବିଜେପିର ଅଶୋକ ମଣ୍ଡଳଙ୍କୁ ୧,୬୪,୦୮୯ ଭୋଟରେ ହରାଇଛନ୍ତି। ଯେଉଁ ସିଟରେ ଗୃହ ରାଜ୍ୟ ମନ୍ତ୍ରୀ ନିତିଶ ପ୍ରାମାଣିକ ଚଳିତ ମେ ମାସରେ ନିର୍ବାଚନ ଜିତିଥିଲେ । ଏବେ ଏହି ସ୍ଥାନକୁ ବିପୁଳ ଭୋଟରେ ଅକ୍ତିଆର କରିଛି TMC ।

ସେହିପରି ଗୋସାବାରେ ଟିଏମସି ୧,୪୩,୦୫୧ ଭୋଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛି। ଟିଏମସିର ସୁବ୍ରତ ମଣ୍ଡଳ ୧,୬୧,୪୭୪ ଭୋଟ୍ ପାଇଥିବାବେଳେ ବିଜେପିର ପଲାସ ରାଣାଙ୍କୁ ମାତ୍ର ୧୮,୪୨୩ ଭୋଟ୍ ପାଇଛନ୍ତି। ଶାନ୍ତିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଟିଏମସିର ବ୍ରଜ କିଶୋର ଗୋସ୍ୱାମୀ ୬୪,୬୭୫ ଭୋଟରେ ବିଜେପିର ନିରଞ୍ଜନ ବିଶ୍ୱଙ୍କୁ ହରାଇଛନ୍ତି।  ଖାରଦାହ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ମନ୍ତ୍ରୀ ଶୋଭନଦେବ ଚଟୋପାଧ୍ୟାୟ ବିଜେପିର ଆନନ୍ଦ ସାହାଙ୍କୁ ୯୩,୮୩୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଗତ ୨ ନିର୍ବାଚନ ଠାରୁ ଆହୁରି କମିଛି ଭୋଟ୍ ପ୍ରତିଶତ 
ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ୩୮.୦୯ ପ୍ରତିଶତ ଭୋଟ୍ ସହ ୭୭ ଆସନ ହାସଲ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ​​୧୮ଟି ସିଟ୍ ସହ ୪୦.୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଏଥର ବିଜେପିର ଭୋଟ୍ ପ୍ରତିଶତ ଖସି ମାତ୍ର ୧୪.୫୦ ପ୍ରତିଶତ ରହିଛି ।

Leave a Reply