ଫେବ୍ରୁଆରୀରେ ଆସୁଛି ହ୍ୱାଟ୍ସଆପର ନୂଆ ଫିଚର

1 min read

ନୂଆଦିଲ୍ଲୀ: ଡିଜିଟାଲ ଦୁନିଆଁରେ ଛତୁ ଫୁଟିଲା ଭଳି ଆପ୍ ଦେଖିବାକୁ ମିଳୁଛି । ଏଭଳି କ୍ଷେତ୍ରରେ ସୂଚନା ଅଧିକାର ଏକ ପ୍ରମୁଖ ପ୍ରସଙ୍ଗ ହେଲାଣି । ଦେଶରେ ହ୍ୱାଟ୍ସଆପର ଲୋକପ୍ରିୟତା କେତେ ଗଭୀର ସେକଥା ସବୁ ଅନଲାଇନ ୟୁଜର୍ସ ଜାଣନ୍ତି । ହ୍ୱାଟ୍ସଆପ ସମ୍ୱନ୍ଧିତ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ନିହାତି ପକ୍ଷେ ଆଲୋଚନା ଯୋଗ୍ୟ । ରିପୋର୍ଟର କହିବା କଥା ଯେ, ୨୦୨୧ ଫେବୃଆରୀ ୮ରୁ ହ୍ୱାଟ୍ସଆପ୍ ଏକ ନୂଆ ପ୍ରକାରରେ ଉପସ୍ଥାପିତ ହେବ । ଅପଡେଟେଡ୍ ଭର୍ସନ ନୂଆ ସର୍ତ୍ତ ଓ ନିୟମାବଳୀ ସହ ଆସିବ । ମୁଖ୍ୟତଃ ହ୍ୱାଟ୍ସଆପ୍ ଚାଟ୍ ତଥ୍ୟକୁ କମ୍ପାନୀ ନିଜ ପାଖରେ ରଖିପାରେ ବୋଲି ଶୁଣିବାକୁ ମିଳୁଛି ।

ଅର୍ଥାତ୍ ସରଳ ଭାଷାରେ ବୁଝେଇଲେ, ଆପଣଙ୍କର ଯେକୌଣସି ଗ୍ରୁପ୍ କିମ୍ୱା ବ୍ୟକ୍ତିଙ୍କ ସହ ହେଉଥିବା କଥାବାର୍ତ୍ତାକୁ କମ୍ପାନୀ ଷ୍ଟୋର କରିବ । ତେବେ ସମସ୍ୟା ତଥ୍ୟ ସଂଗ୍ରହ କରିବା କିମ୍ୱା ସଂରକ୍ଷିତ ରଖିବାରେ ନାହିଁ । ସମ୍ୱେଦନଶୀଳତା ଏହା ଯେ କମ୍ପାନୀ ଏହାକୁ ବାଧ୍ୟତାମୂଳକ କରିବା ନେଇ ବିଚାର କରୁଛି । ଯଦି ଏଭଳି ହୁଏ ତେବେ ଦୁଇଟି ବିକଳ୍ପ ରହିଯିବ । କମ୍ପାନୀ ସହ ଏକମତ ହେଲେ ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରିବେ ନଚେତ୍ ହ୍ୱାଟ୍ସଆପ ବ୍ୟବହାର କରିବା ସମ୍ଭବ ହେବ ନାହିଁ । ଅନ୍ୟପକ୍ଷରେ ଏଭଳି ସର୍ତ୍ତ ନାଗରିକଙ୍କ ପାଇଁ  ଅସହ୍ୟ ହୋଇପାରେ ।

କାରଣ ଏହା ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରିପାରେ । ସୁବିଧା ପ୍ରତିବଦଳରେ ବ୍ୟକ୍ତିଗତ ଗୋପନୀୟତା ସହ ସାଲିସ କରିବା ଭାରତୀୟ ସାମ୍ୱିଧାନିକ ବ୍ୟବସ୍ଥାର ମଧ୍ୟ ବିରୋଧୀ  । ଉଲ୍ଲେଖଯୋଗ୍ୟ ଯେ, Android (2.20.206.19) ଓ iOS (2.20.130)  ପାଇଁ ହ୍ୱାଟସ୍ପଆପ୍ ନୂଆ ଆପ୍ ପ୍ରସ୍ତୁତ କରିସାରିଛି । ସେହିଭଳି ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଅତିରିକ୍ତ ସୂଚନା ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ବିଶେଷ ଭାବ ଖବର ପ୍ରସାରଣର ଏକ ମାଧ୍ୟମ ଭାବେ ହ୍ୱାଟ୍ସଆପକୁ ବ୍ୟବହାର କରାଯିବ । କମ୍ପାନୀ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ବିଜ୍ଞାପନର ପ୍ରଚାର ଆପ୍ ମାଧ୍ୟମରେ ହେବ ନାହିଁ । ଆପ୍ ସମ୍ୱନ୍ଧୀତ ତଥ୍ୟ ଓ ଖବର ମଧ୍ୟରେ ଏହି ଅତିରିକ୍ତ ଫିଚରକୁ ସୀମିତ ରଖାଯାଇଥିବା ବେଳେ ଏହା ଚାଟ୍ ବକ୍ସରେ ଦେଖାଯିବ ନାହିଁ । ଅଲଗା ହେଡର୍  ଓ ବ୍ୟାନରେ ଏହି ତଥ୍ୟମାନ ଦେଖାଯିବ । ଏଭଳି ତଥ୍ୟ ଉପରେ କ୍ଲିକ୍ କଲେ ଆପଣ ସିଧାସଳଖ ଉକ୍ତ ଓ୍ୱେବସାଇଟକୁ ଯାଇ ସବିଶେଷ ଖବର ଜାଣିପାରିବେ ।

 

 

Leave a Reply