ଗରିବ ଦେଶକୁ କେମିତି ମିଳିବ କରୋନା ଟୀକା; କିଏ ଯୋଗାଇବ ପାଣ୍ଠି ?

1 min read

ନୂଆଦିଲ୍ଲୀ: ପାଖାପାଖି ୯ ମାସରୁ ଅଧିକ ହେବ ଦେଶବାସୀ କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସମୟରେ କରୋନା ଟୀକା ପ୍ରସ୍ତୁତି ଜୋରଦାର ଜାରି ରହିଥିବା ବେଳେ ଫାଇଜର, ସ୍ପୁଟନିକ୍-୫ ଏବଂ ମଡର୍ଣ୍ଣା ଟିକା ଆସନ୍ତା ମାସ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଆସିବାର ସମ୍ଭାବନା ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ପ୍ରାୟ ଚାରି ଡଜନରୁ ଅଧିକ କରୋନା ଟୀକାର କ୍ଲିନିକାଲ ଟ୍ରାଏସ ମଣିଷଙ୍କ ଦେହରେ କରାଯାଉଛି । ଟୀକା ଆସିବା ପୂର୍ବରୁ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି । ଟୀକା ଆସିଲେ ପ୍ରଥମେ କିଏ ପାଇବ ? ଏହାର ମୂଲ୍ୟ କେତେ ରହିବ ? ଟୀକାଗୁଡ଼ିକର ଗରିବ ଦେଶରେ କିଭଳି ଭାଗିଦାରୀ ରହିବ ?

ବିଶ୍ୱର ଜନସଂଖ୍ୟା ପ୍ରାୟ ୭ ବିଲିୟନ ଥିବାବେଳେ ଟୀକା ଉତ୍ପାଦନ ବହୁତ ସୀମିତ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପାଇଁ ଜଣେ ବ୍ୟକ୍ତିକୁ ଟୀକାର ଦୁଇ ଡୋଜ ଆବଶ୍ୟକ । ତେବେ ଅନେକ ଧନୀ ଦେଶ ପୂର୍ବରୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ୫ ଡୋଜ୍ ଲେଖାଏଁ ଟୀକା ବୁକ୍ କରିଥିବା ଆଲୋଚନା ହେଉଛି । ହେଲେ ଭ୍ୟାକ୍ସିନ୍ ଦୌଡରେ ଗରିବ ଦେଶଗୁଡିକ ପଛରେ ପଡ଼ିଥିବାର ଦେଖାଯାଉଛି । ଏମିତିକି ଆଫ୍ରିକାର ଅନେକ ଦେଶରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

କେତେ ରହିବ କରୋନା ଟିକାର ମୂଲ୍ୟ ?

ସୂଚନା ଅନୁଯାୟୀ ବିଶ୍ୱର ଅନେକ ବଡ କମ୍ପାନୀ ଏହି ଟୀକା ପ୍ରସ୍ତୁତି ରେସରେ ରହିଛନ୍ତି । ଏମିତିକି ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦାବି କରିଛି- ଏହାର ଟୀକା ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ସେହିପରି ଫାଇଜର ଭ୍ୟାକ୍ସିନ୍ ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ।

ଅପରପକ୍ଷରେ ମଡର୍ଣ୍ଣା ଟୀକା ଡୋଜ ପିଛା ୨,୮୦୦ ଟଙ୍କା ରହିଥିବା ବେଳେ ଫାଇଜରର ମୂଲ୍ୟ ୩,୦୦୦ ଟଙ୍କା ରହିଛି । ଏସମ୍ପର୍କରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଭାରତରେ ଅକ୍ସଫୋର୍ଡ ଟିକାର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ରହିବ । ଏଥିସହିତ ସ୍ୱଳ୍ପ ଏବଂ ମଧ୍ୟମ ଆୟବିଶିଷ୍ଟ ଦେଶ ପାଇଁ ୨୨୫ ଟଙ୍କାରେ ଟିକା ଉପଲବ୍ଧ ହୋଇପାରିବ ।

ଧନୀ ଦେଶମାନେ କେତେ ଡୋଜ କିଣିଛନ୍ତି ?

କରୋନା ଟୀକାର ପ୍ରଥମ ଡୋଜ କିଏ ପାଇବ ? କେବଳ ଅଗ୍ରୀମ ବୁକିଂ ତଥ୍ୟରୁ ଏହା ଜଣାପଡ଼ିଥାଏ । ଆମେରିକାର ଡ୍ୟୁକ୍ ୟୁନିଭର୍ସିଟିର ଏକ ରିପୋର୍ଟ ଅନୁଯାୟୀ ଏଯାଏଁ ୬.୪ବିଲିୟନ ଡୋଜ୍ କରୋନା ଟିକା ବୁକ୍ ହୋଇସାରିଛି । ଏହାଛଡ଼ା ଆଉ ୩.୨ ବିଲିୟନ୍ ଡୋଜ୍ କିଣିବା ଉପରେ ବିଚରାବିମର୍ଶ ଚାଲିଥିବା ଜଣାପଡ଼ିଛି ।

ଟୀକା ଉତ୍ପାଦନକୁ ଉନ୍ନତଧରଣର କରିବା ଲାଗି ଆମେରିକା ସରକାର ୧୧ ବିଲିୟନ ଡଲାର ନିବେଶ କରିଥିବା ସୂଚନା ମିଳିଛି । ଏହାବ୍ୟତୀତ ଆମେରିକା ସରକାର ମଡର୍ଣ୍ଣା ସହିତ ୧୦୦ ମିଲିୟନ୍ ଡୋଜ ନେଇ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ।

ଚୀନରେ ୧୦ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା

କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନରେ ଭ୍ୟାକ୍ସିନ୍ ପରୀକ୍ଷଣ ଆଡଭାନ୍ସ ଷ୍ଟେଜରେ ରହିଛି । ଏପରିକି ସେଠାରେ ଅତିକମରେ ୫ଟି କମ୍ପାନୀ ଟିକା ଉତ୍ପାଦନରେ ଲାଗି ପଡ଼ିଛନ୍ତି । ଚୀନ୍ କମ୍ପାନୀ ସିନୋଫାର୍ମର ଦାବି ଅନୁଯାୟୀ, ପାଖାପାଖି ୧୫୦ଟି ଦେଶରେ ରହୁଥିବା ଚୀନର ନିର୍ମାଣ ଶ୍ରମିକ, କୁଟନୀତିଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ଏହି ଟିକାଗୁଡିକର ପରୀକ୍ଷଣ କରାଯାଇଛି । ତେବେ ୧୦ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ଦେଖାଯାଇନଥିବା ଚୀନ୍ ଦାବି କରିଛି ।

ଗରିବ ଦେଶକୁ ନେଇ ଚିନ୍ତା

ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାରମ୍ଭିକ ଭାବେ ଏହି ଟୀକା ପାଇଁ ୩୫ ବିଲିୟନ ଡଲାର ପାଣ୍ଠି ପ୍ରଦାନ କରିଥିଲା । ଏପରିକି ଡବ୍ଲ୍ୟୁଏଚଓ ମଧ୍ୟ ଗରିବ ଦେଶମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛି । ଗରିବ ଦେଶରେ ବିଶ୍ୱର ୮୭ ପ୍ରତିଶତରୁ ଅଧିକ ଲୋକ ରହୁଥିବା ବେଳେ ସ୍ୱାସ୍ଥ୍ୟ ସୁବିଧା ଅତ୍ୟନ୍ତ ଖରାପ ବୋଲି ଡବ୍ଲ୍ୟୁଏଚ୍ ସୂଚନା ଦିଆଯାଇଛି ।

Leave a Reply