ପ୍ରବାସୀ ଆସିବା କମିଲା: ଏବେ ସବୁ ଟିଏମ୍‌ସି ଖାଁ ଖାଁ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର – ଟିଏମ୍‌ସି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟିମ୍‌ସି ହିଁ କରୋନା ସଂକ୍ରମଣକୁ ଦେଇଥିଲା ଚେକ୍ । କୋଭିଡ କେୟାର ହୋମ ବି କରୋନା ମୁକାବିଲାରେ ନେଇଥିଲା ବଳିଷ୍ଠ ଭୂମିକା । ଏବେ କିନ୍ତୁ ଆଉ ନାହାନ୍ତି ପ୍ରବାସୀ, ଫଳରେ ଖାଲି ପଡୁଛି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଥିପାଇଁ ବ୍ୟବହାର ହେଉନଥିବା ଟିଏମ୍‌ସିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବଢୁଛି ସୁସ୍ଥତା, କମୁଛି ସଂକ୍ରମଣ । ପ୍ରବାସୀ ଆସିବା କମିଲାଣି  । ଏବେ ପ୍ରାୟ ସବୁ ଟିଏମ୍‌ସି ଖାଁ ଖାଁ । ଏକଥା ଆମେ କହୁନୁ । ଏ ଚିତ୍ର ବଖାଣୁଛି ସ୍ଥିତି । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଗୋଟିଏ ଜିଲ୍ଲାର ସ୍ଥିତି ଉପରେ ଟିକେ ନଜର ପକାଇବା । ଏ ହେଉଛି ବାଲେଶ୍ବର ଜିଲ୍ଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟିଏମସି । ଜିଲ୍ଲାର ୧୨ଟି ବ୍ଲକ ଓ ୪ଟି ପୌର ପରିଷଦରେ ମୋଟ ୧୦୧୭ଟି ଟିଏମସି ଖୋଲିଥିଲା । ଏବେ ବହାନାଗା, ବସ୍ତା, ବାଲିଆପାଳ, ଭୋଗରାଇ, ଖଇରା, ନୀଳଗିରି, ରେମୁଣା, ସିମୁଳିଆ ଓ ସୋର ବ୍ଲକ୍‌ର ୧୨୧୫ଟି ଟିଏମସିରେ ଜଣେ ହେଲେ ନାହାନ୍ତି ।

ଜିଲ୍ଲାକୁ ବିଭିନ୍ନ ଟିଏମ୍‌ସିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୧ ହଜାର ୧୨୦ ଜଣ । ଏବେ ପ୍ରବାସୀ ଆସିବା ବନ୍ଦ ହୋଇଥିବା ବେଳେ ଅଳ୍ପ ଲକ୍ଷଣ ଓ ଲକ୍ଷଣହୀନ ଲୋକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି । କେବଳ ବାଲେଶ୍ୱର ନୁହେଁ, ଶିଳ୍ପନଗରୀ ରାଉରକେଲା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଚିତ୍ର ସମାନ । ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାରୁ ଅକାମୀ ହୋଇଗଲାଣି ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର । ରାଉରକେଲାରେ ମଧ୍ୟ ୧୫ଟି କୋଭିଡ କେୟାର ହୋମ ମଧ୍ୟରୁ ୧୪ଟି ଓ ୬ଟି ଯାକ ଟିଏମ୍‌ସିକୁ ବନ୍ଦ କରାଯାଇଛି । ଗୋଟେପଟେ ପ୍ରବାସୀ ଆସିବା କମିଛି, ଅନ୍ୟପଟେ ବାହାରୁ ଆସୁଥିବା ଲୋକଙ୍କୁ ହୋମ୍‌ ଆଇସୋଲେସନ ଅନୁମତି ମିଳିଛି ।

କୋଭିଡ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ସରକାର ୬ ଲକ୍ଷ ୩୬ ହଜାର ୬୯ ଶଯ୍ୟା ବିଶିଷ୍ଟ ୧୩ ହଜାର ୯୯୨ ଟିଏମ୍‌ସି ଏବଂ ୬୭ ହଜାର ୮୮୮ ଶଯ୍ୟାବିଶିଷ୍ଟ ୬, ୭୯୮ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା କରିଥିଲେ ।

Leave a Reply