ନିଦରେ ବିଳିବିଳେଇ ଜେଲ୍ ଗଲେ ମହିଳା

1 min read

ଲିଭରପୁଲ: ଶୋଇବା ବେଳେ ଘୁଙ୍ଗୁଡି ମାରିବା, ଚାଲିବା ଓ ବିଳିବିଳେଇ ହେବା ଲକ୍ଷଣ ବହୁତ ଲୋକଙ୍କର ରହିଛି । ଏହା ଏକ ବଡ଼ ସମସ୍ୟା ନୁହେଁ । ହେଲେ ଶୋଇବା ବେଳେ ବିଳିବିଳେଇ ହୋଇ ଜେଲ୍ ଯିବା କେବେ ଶୁଣିଛନ୍ତି କି ? ଶୋଇବା ବେଳେ ବିଳିବିଳେଇ ହୋଇ କିଛି କହିବା ଶୁଣି ସ୍ବାମୀ ଯଦି ପୋଲିସକୁ ଡାକି ଦେବେ ତେବେ କ’ଣ ହେବ ? ଇଂଲଣ୍ଡର ଲିଭରପୁଲର ଜଣେ ମହିଳାଙ୍କ ପାଇଁ ଶୋଇବା ବେଳେ ବିଳିବିଳେଇ ହେବା ପଡ଼ିଛି ମହଙ୍ଗା । ସ୍ବାମୀଙ୍କ ଫୋନ କଲ ପାଇ ପୋଲିସ ଆସି ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ଓ ବିଚାର ପରେ ମହିଳାଙ୍କୁ ୧୬ ମାସ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

ଏବେ ଭାବୁଥିବେ ମହିଳା ଜଣଙ୍କ ବିଳିବିଳେଇ ହୋଇ ଏମିତି କ’ଣ କହି ଦେଲେ ଯେ, ସ୍ବାମୀ ପୋଲିସକୁ ଡାକି ଦେଲେ । ଆପଣଙ୍କ ଭାବନା ଯେଉଁଆଡେ ଯାଉଛି ଆମେ ବି ଅନୁମାନ କରିପାରୁଛୁ । ହେଲେ ସେ ଆଡକୁ ଯାଆନ୍ତୁ ନାହିଁ । ମହିଳା ଜଣଙ୍କର କୌଣସି ପ୍ରେମ ସମ୍ପର୍କ ନଥିଲା । ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ଭହୁତ ଭଲ ପାଉଥିଲେ । ହେଲେ ମହିଳା ଜଣଙ୍କ ଶୋଇବା ବେଳେ ବିଳିବିଳେଇ ହୋଇ ସ୍ବାମୀଙ୍କ ମନରେ ଦୀର୍ଘଦିନରୁ ଘାଣ୍ଟି ହେଉଥିବା ଏକ ସନ୍ଦେହରୁ ପରଦା ହଟାଇ ଦେଇଥିଲେ । ଯାହା ପରେ ସ୍ବାମୀ ପୋଲିସକୁ ଡାକି ଦେଲେ । ଆଉ ଏତେ ବୁଲେଇ ବଙ୍କେଇ ନକହି ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ?

ନିଦରେ ନିଜ ଗୁମର ନିଜେ ଖୋଲିଲେ

ଲିବରପୁରରେ ୬୧ ବର୍ଷିୟ ଏଣ୍ଟୋନି ଏବଂ ୪୭ ବର୍ଷିୟ ରୁଥ ଫୋର୍ଟଙ୍କ ବିବାହ ୨୦୧୦ରେ ହୋଇଥିଲା । ଉଭୟଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ ଚାଲିଥିଲା । କାହାର କାହା ପ୍ରତି ଅଭିଯୋଗ ନଥିଲା କି କିଛି ମତଭେଦ ମଧ୍ୟ ନଥିଲା । ଉଭୟଙ୍କ ମଧ୍ୟରେ ଭଲ ପାଇବା ଓ ସମ୍ମାନ ଯଥେଷ୍ଟ ଥିଲା । ଏପରିକି ଘରେ ଆର୍ଥୀକ ସମସ୍ୟା ଦେଖା ଦେବା ପରେ ରୁଥ ବାହାରେ କାମ କରି ପରିବାର ଚଲାଇବାରେ ମଧ୍ୟ ସହଯୋଗ କରୁଥିଲେ ।

ଦିନେ ରାତିରେ ପତିପତ୍ନୀ ଶୋଇଥିବା ବେଳେ ଏଣ୍ଟୋନିଙ୍କ ନିଦ ଭାଙ୍ଗି ଯାଇଥିଲା । ଏହି ସମୟରେ ରୁଥ୍ ନିଦରେ କିଛି ବିଳି ବିଳେଇ ହେଉଥିବା ସେ ଶୁଣିଥିଲେ । ଏହାକୁ ଧ୍ୟାନର ସହ ଶୁଣିବା ପରେ ଏଣ୍ଟୋନି ଜାଣିବାକୁ ପାଇଥିଲେ ରୁଥ ଜଣେ ଚୋର । ସେ ଚାକିରି କରିଥିବା ହୋମ କେୟାରରେ ଯେଉଁ ମହିଳାଙ୍କ ସେବାରେ ଥିଲେ ତାଙ୍କୁ ବୁଲାଇବା ବେଳେ ତାଙ୍କ ଏଟିଏମ୍ କାର୍ଡ ଚୋରି କରି ଆଣିଥିଲେ ।

ପୋଲିସକୁ ଡାକି ଦେଲେ ସ୍ବାମୀ

ରୁଥଙ୍କ କଥା ଶୁଣିବା ପରେ ଏଣ୍ଟୋନି ତାଙ୍କୁ ନିଦରୁ ଉଠାଇ ଘଟଣା ସମ୍ପର୍କରେ ପଚାରିଥିଲେ । ଏହାପରେ ସ୍ବାମୀଙ୍କୁ ଭରସାରେ ରୁଥ୍ ସବୁ ସତ ମାନିଯାଇଥିଲେ । ଏହାପରେ ଏଣ୍ଟୋନି ପତ୍ନୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଦେଲେ ।

ପତ୍ନୀ ଉପରେ ପୂର୍ବରୁ ଥିଲା ସନ୍ଦେହ

ଏଣ୍ଟୋନିଙ୍କର ପତ୍ନୀ ରୁଥଙ୍କ ଉପରେ ପୂର୍ବରୁ ଥିଲା ସନ୍ଦେହ । ପୂରା ପରିବାର ଯେବେ ମେସ୍କିକୋ ବୁଲିବାକୁ ଯାଇଥିଲେ ସେ ସମୟରେ ଏଣ୍ଟୋନିଙ୍କର ରୁଥଙ୍କ ଉପରେ ସନ୍ଦେହ ହୋଇଥିଲା । କାରଣ ଏହି ଟୁରରେ ରୁଥ୍ ହାତଖୋଲା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା କେଉଁଠୁ ଆଣିଲ ବୋଲି ଯେତେବେଳେ ଏଣ୍ଟୋନି ପଚାରିଥିଲେ ରୁଥ୍ ତାଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏହାପରେ ଦିନେ ରୁଥଙ୍କ ପର୍ସରେ ଏଣ୍ଟୋନି କିଛି କ୍ୟାସ୍ ସହ ଏକ ଅଜଣା ଏଟିଏମ୍ ଦେଖିଥିଲେ । ସେତେବେଳେ ମଧ୍ୟ ରୁଥ ତାଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ । ହେଲେ ନିଦରେ ବିଳି ବିଳେଇ ହେବା ବେଳେ ରୁଥ ସତ ମାନିବା ପରେ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଯାଇଥିଲା ।

୧୬ ମାସ ଦଣ୍ଡାଦେଶ

୨୦୨୧ ଫେବୃୟାରୀରେ ପ୍ରେଷ୍ଟନ କ୍ରାଉନ କୋର୍ଟ ମାମଲାର ବିଚାର କରିଥିଲେ । ସେଠାରେ ରୁଥ ୭୨୦୦ ପାଉଣ୍ଡ (ପ୍ରାୟ ୭ ଲକ୍ଷ ୩୦ ହଜାର ଟଙ୍କା) ଚୋରି କରିଥିବା ସ୍ବୀକାର କରିଥିଲେ । କୋର୍ଟ ଏଣ୍ଟୋନିଙ୍କୁ ପ୍ରଶଂସା କରିବା ସହ ରୁଥଙ୍କୁ ୧୬ ମାସ ଦଣ୍ଡାଦେଶ ଶୁଣାଇଥିଲେ ।

Leave a Reply