ସ୍ବାମୀଙ୍କୁ ‘କଳା’ କହିଲେ ପଡ଼ିପାରେ ମହଙ୍ଗା, ହୋଇପାରେ ଛାଡ଼ପତ୍ର

1 min read

ବେଙ୍ଗାଲୁରୁ: ସ୍ବାମୀଙ୍କ ରଙ୍ଗ କଳା ହୋଇଥିବାରୁ ଆପଣ ତାଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି କି ? ସବୁବେଳେ ତାଙ୍କ ରଙ୍ଗକୁ ନେଇ ତାଙ୍କୁ କୁତ୍ସିତ ଦୃଷ୍ଟିରେ ଦେଖୁଛନ୍ତି କି ? ଏପରି ଅପମାନ ଏବେ ପଡ଼ିପାରେ ମହଙ୍ଗା । ଏବେ ଏନେଇ କର୍ଣ୍ଣାଟକ କୋର୍ଟ ଏକ ରାୟ ଶୁଣାଇଛନ୍ତି । ସ୍ବାମୀଙ୍କ ରଙ୍ଗ କଳା ବୋଲି କହି ଯଦି ଅପମାନ କରନ୍ତି ତାହାଲେ ଏହା ନିଷ୍ଠୁରତା ସାବ୍ୟସ୍ତ ହେବ । କେବଳ ନିଷ୍ଠୁରତା ନୁହେଁ ଏନେଇ ଯଦି ସ୍ବାମୀ ଛାଡ଼ପତ୍ର ଆବେଦନ କରନ୍ତି ତାହାଲେ ଛାଡ଼ପତ୍ର ବି ହୋଇପାରେ । ଏକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
କ’ଣ ଥିଲା ପୂରା ଘଟଣା ଜାଣନ୍ତୁ 
କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ଆଲୋକ ଅରାଧେ ଓ ଜଷ୍ଟିସ୍ ଅନନ୍ତ ରାମନାଥ ହେଗଡ଼େଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀ ସ୍ବାମୀଙ୍କୁ କଳା କହିବା ସହ ଏହି କଥାକୁ ଲୁଚାଇବା ପାଇଁ ସ୍ବାମୀଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଥିଲେ । ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କର ସମ୍ପର୍କ ଥିବା ମଧ୍ୟ କହିଥିଲେ । ଏହା ପରେ କୋର୍ଟ ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୧୩ (i) (a) ଅନୁସାରେ ଦମ୍ପତିଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଦମ୍ପତିଙ୍କ ବିବାହ ୨୦୦୭ ମସିହାରେ ହୋଇଥିଲା । ଉଭୟଙ୍କର ଝିଅଟିଏ ମଧ୍ୟ ଅଛି । ୨୦୧୨ ମସିହାରେ ବ୍ୟକ୍ତି ଜଣଙ୍କ ଛାଡ଼ପତ୍ର ଆବେଦନ କରିଥିଲେ । ହାଇକୋର୍ଟ ଏନେଇ କହିଛନ୍ତି ଯେ, ବାରମ୍ବାର କଳା କହି ସ୍ତ୍ରୀ ସ୍ବାମୀଙ୍କୁ ଅପମାନ କରୁଥିଲେ । କିନ୍ତୁ ଛୋଟ ଝିଅ ପାଇଁ ବ୍ୟକ୍ତି ଏ ସବୁ ସହି ଯାଉଥିଲେ । ହେଲେ ମହିଳା ଜଣଙ୍କ ସ୍ବାମୀ, ଶାଶୁ ଏବଂ ଶ୍ବଶୁରଙ୍କ ବିରୋଧରେ ଆଇପିସି ଧାରା ୪୯୮A ଆଧାରରେ ମାମଲା ରୁଜୁ କରିଥିଲେ । ଘରୋଇ ହିଂସା ଆଧାରରେ ମହିଳା ଜଣଙ୍କ ଝିଅକୁ ନେଇ ବାପା ମାଆଙ୍କ ପାଖରେ ରହୁଥିଲେ । ହେଲେ ଏହି ଘଟଣାକୁ ସ୍ବାମୀ ଖଣ୍ଡନ କରିବା ସହ ତାଙ୍କ ପରିବାର ସହ ଦୁର୍ବ୍ୟବହାର କରିଛନ୍ତି ବୋଲି କହିଥିଲେ । ୨୦୧୭ ମସିହାରେ ଫ୍ୟାମିଲି କୋର୍ଟରେ ତାଙ୍କର ଛାଡ଼ପତ୍ର ଆବେଦନ ଖାରଜ ହୋଇଥିଲା । କିନ୍ତୁ ପରେ ତାଙ୍କୁ ହାଇକୋର୍ଟରୁ ମଞ୍ଜୁରୀ ମିଳିଛି ।