ହାତୀ ଭୟରେ ରାଞ୍ଚିରେ ୧୪୪ ଧାରା ଲାଗୁ; ୧୬ ଜଣଙ୍କୁ ଦଳି ମାରିଲାଣି ଗଜରାଜ

ରାଞ୍ଚି: ଝାରଖଣ୍ଡରେ ଗଜରାଜ ଆତଙ୍କ । ୧୨ ଦିନରେ ୧୬ ଜଣଙ୍କ ଜୀବନ ନେଇଛି ନରହନ୍ତା ହାତୀ । ହାତୀ ପଲରୁ ଅଲଗା ହେବା ପରେ ପାଗଳ ହୋଇଯାଇଛି ଏହି ହାତୀ । ମାମଲା ଟି ଝାରଖଣ୍ଡ ରାଜଧାନୀ ରାଞ୍ଚିରୁ ଆସିଛି । ଏଠାରେ ପଲରୁ ଅଲଗା ହୋଇଯାଇଥିବା ହାତୀ ପାଞ୍ଚଜଣଙ୍କୁ ଦଳି ଦେଇଥିଲା । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ସରକାରୀ ତଥ୍ୟ ମୁତାବିକ ଗତ ୧୨ ଦିନରେ ହଜାରିବାଗ, ରାମଗଢ଼, ଚତରା, ଲୋହରଦଗା ଏବଂ ରାଞ୍ଚି ଜିଲ୍ଲାରେ ହାତୀ ୧୬ ଜଣଙ୍କୁ ଦଳି ମାରି ଦେଇଛି । ଝାରଖଣ୍ଡର ଲୋହରଦଗା, ହଜାରିବାଗ, ଗଢ଼ୱା, ଲାତେହାର, ଚାଇବାସା ଏବଂ ଏବେ ରାଞ୍ଚିରେ ହାତୀଙ୍କ ଉପଦ୍ରବ ଜାରି ରହିଛି ।

ପ୍ରକାଶଥାଉକି, ପ୍ରଶାସନକୁ ପୂର୍ବରୁ ହିଁ ରାଞ୍ଚିରେ ଇଟକି ଅଞ୍ଚଳରେ ହାତୀ ପଲରୁ ଅଲଗା ହୋଇ ଗଜରାଜ ବୁଲୁଥିବାର ଖବର ମିଳିଥିଲା । ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ରାଞ୍ଚି (ସଦର) ଏସଡିଓ ଇଟକିରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଧାରା ୧୪୪ ଆଧାରରେ ନିଷେଧ୍ୟାଜ୍ଞ ଲାଗୁ କରିଥିଲେ । ଲୋକମାନଙ୍କୁ ଘରୁ ନବାହାରିବାକୁ ବା ସୁନସାନ ଅଞ୍ଚଳକୁ ନଯିବା ପାଇଁ ମନା କରାଯାଇଥିଲା । ଏହାରି ମଧ୍ୟରେ ଆଜି ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବନବିଭାଗ ଲୋକଙ୍କୁ ଅପିଲ କରିଛି ଯେ ହାତୀର ଆଖପାଖକୁ ନଯିବା ପାଇଁ । ତାକୁ ଘଉଡ଼ାଇବା ପାଇଁ ପ୍ରୟାସ ନକରନ୍ତୁ । ଏହାଦ୍ୱାରା ହାତୀ ଅଧିକ ଉଗ୍ର ହୋଇ କ୍ଷତି ପହଞ୍ଚାଇ ପାରେ ।