ଭାରତ ଉପରେ ସବୁଠାରୁ କମ୍ ଟାରିଫ ଲଗାଇବ ଆମେରିକା ?

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ ଡିଲକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ବେପାରକୁ ନେଇ ଆଲୋଚନା ପାଇଁ ଭାରତୀୟ ପ୍ରତିନିଧି ଦଳ ଓ୍ବାଶିଂଟନ ଗସ୍ତ କରିଛି ଓ ଟାରିଫକୁ ନେଇ ବୁଝାମଣା କରୁଛି । ଆମେରିକା ଭାରତର ଡେୟରୀ ଓ କୃଷି ଉତ୍ପାଦ ଉପରେ ଟାରିଫ କମ୍ କରିପାରେ । ଦେଶ ହିତକୁ ନେଇ ଭାରତ ନିଜର ସର୍ତ୍ତରେ ଅଟଳ ରହିଛି । ଆମେରିକା ନିଜର ଟାରିଫକୁ ୧୫ରୁ ୧୦ ପ୍ରତିଶତ ବା ତା’ଠାରୁ କମ୍ କରୁ ବୋଲି ଭାରତ ଚାହୁଁଛି ।
ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଆମେରିକା ସହ ପ୍ରସ୍ତାବିତ ବେପାର ବୁଝାମଣାରେ ଭାରତକୁ ଟାରିଫ ସୁବିଧା ମିଳିପାରେ । ଅଗଷ୍ଟ ୧ ଠାରୁ ଲାଗିବାକୁ ଥିବା ଭାରି ରେସିପ୍ରୋକଲ ଟାରିଫର ସୁରକ୍ଷା ଭାରତକୁ ମିଳିପାରେ । ଭିଏତନାମ ପରି ଦେଶ ତୁଳନାରେ ଭାରତୀୟ ବସ୍ତୁ ଉପରେ କମ୍ ଟାରିଫ ଲାଗିପାରେ । ଯଦି ଭିଏତନାମ ବସ୍ତୁ ଉପରେ ୨୦ ପ୍ରତିଶତ ଟାରିଫ ଲାଗିବ, ତେବେ ଭାରତ ଉପରେ ଏହାଠାରୁ କମ୍ ଟାରିଫ ଲାଗିବ । ଏ ପ୍ରସଙ୍ଗରେ ଜଣେ ସିନିୟର ଅଧିକାରୀ ସୂଚନା ଦେଇଛନ୍ତି । ଭାରତ ଉପରେ ଏବେ ୨୬ ପ୍ରତିଶତ ଟାରିଫ ଘୋଷଣା ହୋଇଥିବା ବେଳେ ଏହା କମିବା ନେଇ କୁହାଯାଉଛି । ଭାରତ ସହ ଡିଲକୁ ନେଇ ବହୁତ କ୍ଲୋଜ ବୋଲି ଗୁରୁବାର ଦିନ ଟ୍ରମ୍ପ ଏକ ବଡ଼ ଘୋଷଣା କରିଥିଲେ । ଡିଲକୁ ନେଇ ଭାରତ ସହ ଆଲୋଚନା ଚାଲିଛି । ସବୁକିଛି ଠିକ୍ ଚାଲିଛି ଓ ଶୀଘ୍ର ଏହି ଡିଲ୍ ଫାଇନାଲ ହୋଇଯିବ ବୋଲି ଟ୍ରମ୍ପ କହିଥିଲେ । ଅଗଷ୍ଟ ପହିଲା ପୂର୍ବରୁ ଯଦି ପ୍ରାରମ୍ଭିକ ବୁଝାମଣା ହୋଇଯିବ, ତେବେ ଟାରିଫ ଦ୍ବାରା ହେବାକୁ ଥିବା କ୍ଷତିରୁ ଭାରତକୁ ସହାୟତା ମିଳିପାରିବ ।