ଲାଗିଲା ପୋଷ୍ଟର, ମିଳିବ କି ପରିଚୟ ? ପୋଷ୍ଟର କହିବ କଙ୍କାଳ କାହାର..

Skeleton Sketch

ଭୁବନେଶ୍ୱର: ଲାଗିଲା ପୋଷ୍ଟର, ମିଳିବ କି ପରିଚୟ? ପୋଷ୍ଟର କହିବ କଙ୍କାଳ କାହାର । ସ୍କେଚ ଉଠାଇବ କି ସସପେନ୍ସ! ଚିହ୍ନା ପକାଇବ କି ଚେହେରା ! ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ ମହିଳା କଙ୍କାଳ ମିଳିବା ଘଟଣାରେ ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଲା କଙ୍କାଳ ସ୍କେଚ୍‌ ପୋଷ୍ଟର । ଏଥିରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ୍‌ ଜାରି କରିଥିଲା ପୋଲିସ୍‌ । ଜାରି ହୋଇଥିବା ପୋଷ୍ଟରରେ, ଗତ ବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ନେଇ ଅନୁମାନ କରାଯାଉଥିବା ଉଲ୍ଲେଖ ରହିଛି ।

ପୋଷ୍ଟରରେ ତିନିଟି କାଟାଗୋରୀରେ ମହିଳାଙ୍କ ଫଟୋ ଲାଗିଛି । ଗୋଟିଏ ସ୍କେଚ୍ ଫଟୋ ସହ ଆଉ ଦୁଇଟିରେ ମହିଳାଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି । ମହିଳା ଜଣକ ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ନିଖୋଜ ହୋଇଥିବା ପୋଲିସ ଅନୁମାନ କରିଛି । ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ, ଉଚ୍ଚତା ୧୬୪ ସେମି । ମହିଳାଙ୍କ ମୁଣ୍ଡରେ ପ୍ରାୟ ୩୫ ସେମି ଲମ୍ବର କଳା କେଶ ରହିଛି । ମହିଳା ଜଣଙ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ଡାହାଣ ହାତରେ ଚାରିଗୋଟି ଆଲୁମିନିୟମ ଚୁଡି ଓ ଗୋଟିଏ ସବୁଜ ରଙ୍ଗର ଫୁଲ୍ ହାତ ସ୍ୱେଟର ପିନ୍ଧିଥିବା ନେଇ ପୋଷ୍ଟରରେ ସୂଚନା ଦିଆଯାଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟପ୍‌, ମନ୍ଦିର, ପ୍ରମୁଖ ଛକ, ରେଳୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ଛକ, ଯାଁଳା ଫାଣ୍ଡିର ଆଖାପାଖ ଗାଁ, ୧୪ଟି ଥାନା ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ପୋଷ୍ଟର ଲଗାଇଛି ପୋଲିସ । ସେହିଭଳି ଗତ ୩ ମାସରେ ନିଖୋଜ ରିପୋର୍ଟକୁ କ୍ରସ୍‌ ଚେକ୍ କରାଯାଉଛି । ମହିଳାଙ୍କ ବିଷୟରେ ସୂଚନା ଦେଲେ ପରିଚୟ ଗୋପନ ରଖାଯିବ । ଆଗାମୀ ଦିନରେ ପୋଷ୍ଟରମରା ଅଭିଯାନକୁ ପୋଲିସ ଜୋରଦାର କରିବ । ମହିଳାଙ୍କ ବାବଦରେ ତଥ୍ୟ ଦେବାକୁ ପୋଲିସ ନିବେଦନ କରିଛି ।

Leave a Reply