ମହିଳାଙ୍କ ଅଜବ ଦାବି, କହିଲେ ଜୋରରେ ପବନ ହେଲା, ଘଣ୍ଟେ ଭିତରେ ମୋର ଛୁଆ ହେଲା

ଇଣ୍ଡୋନେସିଆ: ଇଣ୍ଡୋନେସିଆ ପୋଲିସ ଜଣେ ମହିଳାଙ୍କ ବିଚିତ୍ର ଦାବିର ତଦନ୍ତ  କରୁଛି । ଦାବି ଏମିତି ଶୁଣିଲେ ଆପଣଙ୍କ ମୁଣ୍ଡ ଚକ୍କର କାଟିବ । ଆଉ ପୁରାଣ ଯଦି ପଢିଥିବେ ତେବେ ହନୁମାନଙ୍କ ଜନ୍ମ କଥା ମନେ ପଡିବ । ଇଣ୍ଡୋନେସିଆର ଏହି ମହିଳାଙ୍କ ଦାବି ଯେ, ସେ  ପବନ ଦ୍ୱାରା ଗର୍ଭବତୀ ହୋଇଛନ୍ତି  ।   ୨୫ ବର୍ଷୀୟା ସିତି ଜୈନାହ ନାମକ ଏହି ମହିଳାଙ୍କ ଅଜବ ଦାବି ଏତିକିରେ ଅଟକିନି । ସେ ଆହୁରି ମଧ୍ୟ କହୁଛନ୍ତି ଯେ, ଗର୍ଭବତୀ ହେବାର ମାତ୍ର ଏକ ଘଣ୍ଟା ପରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି  ।

ଖବର ଅନୁଯାୟୀ, ଦକ୍ଷିଣ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଅବସ୍ଥିତ ସିଆନଜୁର ସହରରେ ଗତ ସପ୍ତାହରେ ମହିଳା ଜଣଙ୍କ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ନିଜ ଘରେ ଥିବାବେଳେ ପ୍ରବଳ ବେଗରେ ପବନ ବହିଥିଲା । ମାତ୍ର ୧୫ ମିନିଟ୍ ପରେ, ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାକୁ ଲାଗିଲା, ଏବଂ ପେଟ ଆକାରରେ ବଡ଼ ହେବାକୁ ଲାଗିଲା । ଏହାପରେ ସେ ଏକ ଘରୋଇ କ୍ଲିନିକକୁ ଯାଇ କନ୍ୟା ସନ୍ତାନ ଜନ୍ମ ଦେଇଥିବା କହିଛନ୍ତି ।

ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦ୍ୱିପ୍ରହରେ ନିଜ ଘରେ ଶୋଇଥିବାବେଳେ ଗୁପ୍ତାଙ୍ଗରେ ପ୍ରବଳ ବେଗରେ ପବନ ପଶିବା ଅନୁଭୂତ ହେଲା । ମହିଳା ଜଣଙ୍କର ଏହି ବିଚିତ୍ର ଗର୍ଭଧାରଣ ଖବର ଖୁବଶୀଘ୍ର ସହରରେ ବ୍ୟାପିଗଲା ଏବଂ ଶେଷରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିତିଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ପରିଦର୍ଶନ କରିଥିଲେ, ଏହି ବିଚିତ୍ର ଘଟଣା ଶୁଣି ସେମାନେ ମଧ୍ୟ ତାଜୁବ ହୋଇଯାଇଥିଲେ ।

ତେବେ ଜନ୍ମଗ୍ରହଣ କରିଥିବା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ଥାନୀୟ କ୍ଲିନିକ କର୍ତ୍ତୁପକ୍ଷ କହିଛନ୍ତି ।

Leave a Reply