ଆରମ୍ଭରେ ଥିଲା ୩୪,ଏବେ ୧୬ ଲକ୍ଷରୁ ଅଧିକ ସଂକ୍ରମିତ,ଗତ ଶହେ ବର୍ଷ ଭିତରେ ଦୁନିଆ ଦେଖିନଥିଲା ଏମିତି ବିପଦ

ଭୁବେନଶ୍ୱର: କରୋନାକୁ ଆଜି ପୁରୁଛି ୧୦୦ ଦିନ ।  । ଶହେ ଦିନ ତଳେ ଦୁନିଆ ଯାହା ଥିଲା ଏବେ ଆଉ ତାହା ହୋଇ ରହିନାହିଁ । ବଦଳି ଯାଇଛି ଆମ ଦୁନିଆ ଏବଂ ବଦଳି ଯାଇଛି ସଂପର୍କର ପରିଭାଷା । କରୋନା କାଳରେ ଇଏ ହେଉଛି ସାମାଜିକ ସଂଘାତର ସମୟ । ଆତଙ୍କ ଓ ସତର୍କତାର କାଳ ।ଶହେ ଦିନ ତଳେ ଦୁନିଆ ତା’ର ନିଜସ୍ୱ ଗତିରେ ଦୌଡୁଥିଲା । ଟ୍ରେନ ଟ୍ରାକ୍ ଉପରେ ଥିଲା । ବିମାନ ଆକାଶରେ । ଷ୍ଟକ ମାର୍କେଟ ତା’ଗତିରେ ଗତିମାନ ଥିଲା । କିନ୍ତୁ ସବୁକିଛି ବଦଳିବାକୁ ଯାଉଥିଲା । ଉହାନରୁ ଆସୁଥିଲା ଏମିତି ଗୋଟିଏ ଝଡ ଯାହାକୁ ଦୁନିଆ ଆଗରୁ କେବେ ଦେଖିନଥିଲା  କି ଭବିଷ୍ୟରେ କେବେ ଦେଖିବାକୁ ଚାହିଁବ ନାହିଁ । ସେଇ ଝଡର ନାମ ହେଉଛି  କୋଭିଡ୍ ୧୯ ନୋଭେଲ କୋରନା ଭାଇରସ  ।କରୋନା,ଟ୍ରମ୍ପଙ୍କ ଭାଷାରେ ଚାଇନିଜ୍ ଭାଇରସ ଚୀନର ଉହାନରୁ ବାହାରି ପୁରା ଦୁନିଆକୁ ନିଜ କବଳକୁ ନେଇସାରିଛି । ଏବେ ବିଶ୍ୱରେ ଟ୍ରେଡ୍ ୱାର ନାହିଁ,ଏବେ କରୋନା ୱାର ଚାଲିଛି । ସେଇ ଯୁଦ୍ଧକୁ ଶୁକ୍ରବାର ୧୦୦ ଦିନ ପୁରିଛି ।


ଡିସେମ୍ବର ୩୧,୨୦୧୯

୨୦୨୦ ଆରମ୍ଭର ଗୋଟିଏ ଦିନ ଆଗରୁ ଆରମ୍ଭ ହୋଇଥିଲା କରୋନା ଭାଇରସର ପ୍ରକୋପ । ଚୀନ୍ ୩୧ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ମାହାମାରୀ ବାବଦରେ ସୂଚିତ କରିଥିଲା ।  ସେତେବେଳେ ଚୀନରେ ମୋଟ ୩୪ ଜଣ କରୋନା ସଂକ୍ରମିତ ଥିଲେ ।୩୧ ଡିସେମ୍ବରରୁ ୧୦ ଏପ୍ରିଲ । ଏହାଭିତରେ ବିତିଯାଇଛି ୧୦୦ ଦିନ । ଆଉ ସେହି ଶହେ ଦିନରେ କରୋନା କରୋନା ସଂକ୍ରମଣ ୪୫ ହଜାର ଗୁଣ ବଢିଛି । ୩୧ ଜାନୁଆରୀରେ ଚୀନରେ ପ୍ରଥମ କରୋନା ସଂକ୍ରମିତ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁର ତାଲିକାରେ ସଂଖ୍ୟା ୮୯ ହଜାରରୁ ଅଧିକ । ସଂକ୍ରମିତଙ୍କ ସଂଖ୍ୟା ୩୪ରୁ ବଢି ହୋଇଛି ୧୫ ଲକ୍ଷ ୩୨ ହଜାର ୪୩୯ । ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ସଂଖ୍ୟା ଆଉ କେଇ ହଜାର ବଢି ୧୬ ଲକ୍ଷରୁ ଅଧିକ ହୋଇ ସାରିଥିବ । ସ୍ଥିତି କେତେ ସଂଗୀନ ଏଥିରୁ ଅନୁମାନ କରାଯାଇ ପାରେ ଯେ,ଇଟାଲିରେ କରୋନା ଅନୁପ୍ରବେଶ କରିବାର ୫୫ ଦିନରେ ପ୍ରଥମ ଥର ପାଇଁ ୩ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ତା’ପର ୪୫ ଦିନରେ ୧୬ ହଜାର ୬୬୯ ଜଣ କରୋନାଠାରୁ ଜୀବନଯୁଦ୍ଧରେ ପରାସ୍ତ ହୋଇ ସବୁଦିନ ପାଇଁ ଦୁନିଆକୁ କହିଛନ୍ତି ଅଲବିଦା ।

ବଦଳିଯାଇଛି ବିଶ୍ୱ,ତାଲାବନ୍ଦରେ ଦୁନିଆ

ହୁଏତ ଭବିଷ୍ୟତର ଇତିହାସ ଏମିତି ପଢାଯିବ, କରୋନା ପୂର୍ବବର୍ତ୍ତି ବିଶ୍ୱ ଓ କରୋନା ପରର ବିଶ୍ୱ । କରୋନା ପରେ ପରେ ଦୁନିଆର ଗତି ଉପରେ ବିରାମ ଲାଗିଛି କହିଲେ ଭୁଲ ହେବ ନାହିଁ । ଭାରତ ଭଳି ବିରାଟ ଜନସଂଖ୍ୟାର ଦେଶ ଲକଡାଉନ୍ ଭିତରେ ଜିଇଁବାକୁ ବାଧ୍ୟ । ଭାରତର ୧୩୦ କୋଟି ଜନସଂଖ୍ୟା ସହ ସମଗ୍ର ବିଶ୍ୱର ୩ଶହ କୋଟିରୁ ଅଧିକ ଲୋକ ଲକଡାଉନ୍ ଭିତରେ ଅଛନ୍ତି । ଜୀବନ ବଂଚାଇବାକୁ ଅନେକ ଦେଶ ସରକାର ଜୀବନର ଗତିକୁ ରୋକି ଦେଇଛନ୍ତି ।

କରୋନା ବଦଳାଇ ଦେଲା ଶକ୍ତି ସରଞ୍ଚନା

କରୋନା ପୃଥିବୀର ଶକ୍ତି ସଂରଚନାକୁ ବିଗାଡି ଦେଇଛି କହିଲେ ଭୁଲ ହେବନି । କରୋନା ପୂର୍ବରୁ ଆମେରିକା ଥିଲା ଦୁନିଆର ଏକମାତ୍ର ସୁପରପାୱାର । କିନ୍ତୁ ଏବେ ମହାଶକ୍ତି ଆମେରିକା କରୋନା ଆଗରେ ଅସହାୟ । ଅସହାୟତା ଟ୍ରମ୍ପଙ୍କ ଭାଷାରୁ ଜଣା ପଡେ । ଯେତେବେଳେ ଟ୍ରମ୍ପ ଗୋଟିଏ ଔଷଧ ପାଇଁ ଭାରତକୁ ପରୋକ୍ଷ ଧମକ ଦିଅନ୍ତି ସେତେବେଳେ ବୁଝାପଡେ କରୋନା କଣ କରିଛି । ପର୍ଲ ହର୍ବର,ନାଇନ୍ ଇଲେଭେନ୍ ଆମେରିକାନ ୱେ ଅଫ୍ ଲାଇଫ୍ କୁ ବଦଳାଇ ପାରିନଥିଲା । କିନ୍ତୁ କରୋନା ପାରିଛି ।

ବଦଳିଯିବ ସଂସ୍କୃତି

କରୋନା କେବଳ ଜୀବନ ଉପରେ ଆକ୍ରମଣ କରୁନି । କରୋନା ମଧ୍ୟ ପ୍ରଚଳିତ ପ୍ରଥା ଓ ପରମ୍ପରା ଉପରେ ଭାରି ପଡୁଛି । କରୋନାର ଶହେ ଦିନ ପୂର୍ବରୁ ହ୍ୟାଣ୍ଡସେକ୍,ହାଇ ଫାଇଭ୍ ସାଧାରଣ କଥା ଥିଲା । କିନ୍ତୁ ଏବେ ଏହା ବିପଜ୍ଜନକ । କରୋନା ପାଇଁ ହ୍ୟାଣ୍ଡସେକର ସ୍ଥାନ ନେଇଛି ନମସ୍କାର । କିମ୍ବା ସାମାଜିକ ଦୂରତା । ସମାଜଶାସ୍ତ୍ରୀଙ୍କ କହିବା ହେଲା ଯଦି କରୋନା ପ୍ରକୋପ ୧୨ରୁ ୧୮ ମାସ ଏଇଭଳି ଲାଗି ରହେ,ତେବେ ଦୁନିଆରୁ ହାତ ମିଳାଇବା,ଆଲିଙ୍ଗନ କରିବା ଭଳି ପରମ୍ପରା ସବୁଦିନ ପାଇଁ ଲୋପ ପାଇଯିବ ।

ଆସନ୍ତା ଶହେ ଦିନରେ କଣ ହେବ ?

ଇଟାଲୀ ଓ ସ୍ପେନରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିବା ନେଇ ସଂକେତ ମିଳୁଛି । ଯଦିଓ ଆମେରିକା ଓ ଇଂଲଣ୍ଡ ଇଟାଲୀଠାରୁ ଦୁଇ ସପ୍ତାହ ପଛରେ ଅଛନ୍ତି ,ତେବେ ଆଗାମୀ ଶହେ ଦିନରେ ଏହି ଦୁଇ ଦେଶରେ ଇଟାଲୀ ଭଳି ସଂଗୀନ ପରିସ୍ଥିତି ସୃଷ୍ଟି ହୋଇପାରେ । ଖୋଦ ଟ୍ରମ୍ପ ମଧ୍ୟ ଏହାର ସଂକେତ ଦେଇ ସାରିଛନ୍ତି । ଭାରତରେ ସଂକ୍ରମଣ ସଂଖ୍ୟାରେ ଏହି କିଛି ଦିନ ମଧ୍ୟରେ ବୃଦ୍ଧି ଘଟିଛି । ଫଳରେ ଭାରତକୁ ମଧ୍ୟ ବିପଦ ରହିଛି । ତବଲିଗି ଜମାତର ଅମିର ମୌଲାନ ସାଦ ଭଳି ସାମାଜିକ ଶତ୍ରୁଙ୍କ ପାଇଁ ଭାରତରେ ଆଗାମୀ ୧୦୦ ଦିନ ମଧ୍ୟରେ ସ୍ଥିତି ଗମ୍ଭୀର ହୋଇପାରେ ।

ଭ୍ୟାକସିନ୍

ବିଶ୍ୱରେ କରୋନା ବିରୋଧୀ ଭ୍ୟାକ୍ସିନ୍ ଉପରେ ଜୋରଦାର କାମ ଚାଲିଛି । ପ୍ରାୟ ୪୦ରୁ ଅଧିକ ସଂଗଠନ ଏନେଇ ସକରାତ୍ମକ ସଂକେତ ମଧ୍ୟ ଦେଉଛନ୍ତି । କିଛି ଭ୍ୟାକସିନର ପଶୁ ଉପରେ ପରୀକ୍ଷଣ ଚାଲିଛି । ହୁଏତ ଆଗାମୀ ୧୦୦ ଦିନ ମଧ୍ୟରେ ଦୁନିଆକୁ ଆଣ୍ଟି କରୋନା ଭ୍ୟାକ୍ସିନ ମିଳିଯାଇପାରେ । ତେବେ ସପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖି ନିଜକୁ ସୁରକ୍ଷିତ ରଖନ୍ତୁ ।

Leave a Reply