ଓଡ଼ିଶାରେ ମିଳିବ ବିଶ୍ବସ୍ତରୀୟ ଉଚ୍ଚଶିକ୍ଷା, ବ୍ରେନ ଡ୍ରେନ୍ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ୍

ଭୁବନେଶ୍ୱର: ଆମ ପାଖରେ ରହିବେ ଆମ ପ୍ରତିଭା । ଓଡ଼ିଶାରେ ରହିବେ, ଉଚ୍ଚଶିକ୍ଷା ଲାଭ କରିବେ । ବ୍ରେନ୍ ଡ୍ରେନ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟରପ୍ଲାନ । ବିଶ୍ବସ୍ତରୀୟ ଶିକ୍ଷା ପାଇଁ ବିଶ୍ବର ବଛା ବଛା ବିଶ୍ବବିଦ୍ୟାଳୟକୁ ଓଡ଼ିଶା ଡାକି ଆଲେଚନା ଆରମ୍ଭ ହୋଇଛି । ଫ୍ରେଞ୍ଚ ବିଜନେସ୍ ସ୍କୁଲ, ଏମଲ୍ୟୋନ ବିଜନେସ୍ ସ୍କୁଲ, ୟୁନାଇଟେଡ୍ କିଙ୍ଗଡମ ବିଶ୍ବବିଦ୍ୟାଳୟ, ଅଷ୍ଟ୍ରେଲିଆନ ବିଶ୍ବବିଦ୍ୟାଳୟ, ଡେକିନ୍ ବିଶ୍ବବିଦ୍ୟାଳୟ ଓ ୟୁନିଭର୍ସିଟି ଅଫ୍ ଚିକାଗୋ ପରି ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନ ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଓଡ଼ିଶା ସହଯୋଗରେ ସେମାନଙ୍କ ଶିକ୍ଷା ଢାଞ୍ଚାକୁ ସଂଯୋଜନ କରିବା ପାଇଁ ସେହି ଦେଶର ହାଇ କମିଶନରଙ୍କଠାରୁ ଆରମ୍ଭ କରି କୁଳପତିମାନେ ରାଜ୍ୟ ସରକାରଙ୍କୁ ଭେଟୁଛନ୍ତି । ଏହାଦ୍ବାରା ଆଗକୁ ରାଜ୍ୟର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାରେ ହିଁ ବିଶ୍ବସ୍ତରୀୟ ଶିକ୍ଷା ମିଳିବ ।

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ସହ ୟୁନିଭର୍ସିଟି ଅଫ୍ ଚିକାଗୋ ୫ ବର୍ଷୀୟ ଷ୍ଟ୍ରାଟେଜିକ୍ ପାର୍ଟନରସିପ କରିଛି । ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗକୁ ନୋଡାଲ ବିଭାଗ କରି ସେମାନେ ଡାଟା ପଲିସି ଓ ଇନୋଭେସନ୍ ସେଣ୍ଟର କରିବେ। ଚଳିତ ବର୍ଷ ଡିସେମ୍ବର ପହିଲାରୁ ୩ ତାରିଖ ଯାଏ ଓଡ଼ିଶାରେ ଏଡୁ ଇନଭେଷ୍ଟ କନକ୍ଲେଭ ହେବ। ଶିକ୍ଷା କ୍ଷେତ୍ରରେ ଏକ ହଜାର କୋଟିର ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ବିଶ୍ବର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହଯୋଗରେ ରାଜ୍ୟରେ ବିଶ୍ବସ୍ତରୀୟ ଶିକ୍ଷାର ବାତାବାରଣ ସୃଷ୍ଟି କରାଯାଉଛି।

ପୂର୍ବରୁ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯାଇ ଶିକ୍ଷା ବା ସାଂସ୍କୃତିକ ବ୍ୟବସ୍ଥା ଉପରେ ଲେକଚର୍ ଦେବାକୁ ସୁଯୋଗ ଦିଆଯାଉଥିଲା । ହେଲେ ସ୍ଥିତି ଏପରି ହେଲା ଯେ ଛାତ୍ରଛାତ୍ରୀମାନେ ବିଦେଶର ଶିକ୍ଷା ବ୍ୟବସ୍ଥାକୁ ଆପଣେଇବାରେ ଲାଗିଲେ । ଅନେକ ଛାତ୍ରଛାତ୍ରୀ ବିଦେଶରେ ରହିଗଲେ । ଯାହା ଭାରତକୁ ଶିକ୍ଷା ଓ ବୈଷୟିକ ଦିଗରୁ ଧକ୍କା ଦେଲା । ହେଲେ ଶିକ୍ଷାର ହବ୍ ପାଲଟିଥିବା ଓଡ଼ିଶା ଏବେ ଯେପରି ଶିକ୍ଷାର ଅନ୍ତର୍ଜାତୀୟ ପ୍ଲାଟଫର୍ମ ସୃଷ୍ଟି କରୁଛି, ତାହା ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବ ।

ଏବେ ଦେଶ ସହ ବିଦେଶରେ ଚାକିରିରୁ ଛଟେଇ ଚାଲିଛି । କେମିତି ଭାରତ ଫେରି ପୁଣି ସ୍ବାଭାବିକ ଭାବେ ବୃତ୍ତିଗତ ଜୀବନ ବିତାଇବେ ସେହି ଚିନ୍ତାରେ ଛାତ୍ରଛାତ୍ରୀ । ଏପରି ସ୍ଥିତିରେ ଓଡ଼ିଶାରେ ବିଶ୍ବସ୍ତରୀୟ ଶିକ୍ଷା ଓ ହାଇଟେକ୍ ରୋଜଗାରର ମାଧ୍ୟମ ସୃଷ୍ଟି କରାଯାଉଛି ।