ବଢ଼ିଲା ଜେଡ଼୍ ଇଷ୍ଟେଟ୍ ମାଲିକଙ୍କ ଅଡୁଆ

ଭୁବନେଶ୍ବର: ବଢ଼ିଲା ରିଏଲ ଇଷ୍ଟେଟ ଡେଭଲପର ଜେଡ଼୍ ଇଷ୍ଟେଟ ମାଲିକଙ୍କ ଅଡୁଆ । ଅର୍ଥନୈତିକ ଅପରାଧ ଶାଖାରେ ହାଜର ତପନ ମହାନ୍ତି ଓ ପୁଅ । ରାଜଧାନୀର ଛାତି ଉପରେ ଜେଡ଼୍ ଇଷ୍ଟେଟ ଲୋକଙ୍କୁ ଦିନ ଦ୍ବିପ୍ରହରରେ ଠକିଚାଲିଛି। ଜେଡ଼୍ ଓ୍ବାନ୍ ହାଉସିଂ ପ୍ରକଳ୍ପରୁ କୋଟି କୋଟି ଟଙ୍କାର ଘର କିଣି ଏବେ ପସ୍ତାଉଛନ୍ତି ଘରମାଲିକ । ରଙ୍ଗ ଡ଼େମୋ ଦେଖାଇ ଘରମାଲିକଙ୍କୁ କରୁଛି ଲୁଟ୍ । ଘର ମାଲିକଙ୍କ ପ୍ରଶ୍ନ, କାହା ବଳରେ ବଳୀୟାନ ଜେଡ଼୍ ଇଷ୍ଟେଟ?

ବଢ଼ିଲା ରିଏଲ ଇଷ୍ଟେଟ ଡେଭଲପର ଜେଡ଼୍ ଇଷ୍ଟେଟର ଅଡ଼ୁଆ । ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ମାଲିକ ଓ ପୁଅ । ଜେଡ଼୍ ଓ୍ବାନ ହାଉସିଂ ପ୍ରକଳ୍ପ ମାଲିକ ସଂଘର ଅଭିଯୋଗ ପରେ ଇଓଡ଼ବ୍ଲୁରେ ହାଜର ତପନ ମହାନ୍ତି ଓ ପୁଅ ସତ୍ୟଜ୍ୟୋତି । ତେବେ ହାଜର ସତ୍ତ୍ବେ ଗଣମାଧ୍ୟମ ଆଗରେ ଖୋଲିନଥିଲେ ମୁହଁ । ଦୀର୍ଘ ୬ବର୍ଷ ଧରି ହକ୍ ପାଇଁ ସଂଘର୍ଷ କରୁଛନ୍ତି ଜେଡ଼୍ ଓ୍ବାନ ପ୍ରକଳ୍ପର ୪୪୦ ମାଲିକ । ହେଲେ ଚୁପ୍ ରହିଛନ୍ତି କର୍ତ୍ତୃପକ୍ଷ । ଘର ମାଲିକଙ୍କ ଅଧିକାର ଛଡ଼ାଇନେଇଛି ଜେଡ଼୍ ଇଷ୍ଟେଟ । ଅଧିକାର ମାଗିଲେ ମିଳୁଛି ମାଡ଼ । ଗାଳି ଆଉ ମିଛ କେସରେ ଫସୁଛନ୍ତି ଘର ମାଲିକ । ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ହୋଇଥିବାବେଳେ କଷ୍ଟଲବ୍ଧ ଧନରେ କିଣିଛନ୍ତି ଘର । ହେଲେ ସ୍ବପ୍ନକୁ ଚୂରମାର୍ କରିବାକୁ ତୟାର ଜେଡ ଇଷ୍ଟେଟ ।

ଚନ୍ଦ୍ରଶେଖର ଭଟ୍ଟାଚାର୍ଯ୍ୟ। ଘର କୋଲକାତା । ସ୍ବାମୀ ଓ ସ୍ତ୍ରୀ ଉଭୟେ ଇନଫୋସିସରେ ସଫ୍ଟଓ୍ବେର ଡ଼େଭଲପର ଭାବେ କାମ କରନ୍ତି । ଭୁବନେଶ୍ବରରେ ଚାକିରି ହେବା ପରେ ମନ୍ଦିରମାଳିନୀ ସହରରେ ରହିବାକୁ ଚାହିଁଲେ । ଜେଡ଼୍ ଓ୍ବାନ ପ୍ରକଳ୍ପରେ ଘର ଖଣ୍ତିଏ କିଣିଲେ । କୋଲକାତାସ୍ଥିତ ଘରବାଡ଼ି ବିକ୍ରି କରି ୭୦ବର୍ଷୀୟା ମାଙ୍କୁ ସାଙ୍ଗରେ ଧରି ଆସି ଭୁବନେଶ୍ବରେ ରହିଲେ । ହେଲେ ଏଠାରେ ରହିବା ପରେ ମାନସିକ ଅଶାନ୍ତି ବଢିଚାଲିଲା । ଅଧିକାର ପାଇଁ କୋର୍ଟ କଚେରୀ ଦୌଡ଼ିଲେ । ପ୍ରତି ମୁହୂର୍ତ୍ତରେ ଚାଲିଲା ସଂଗ୍ରାମ । ଜେଡ଼୍ ଇଷ୍ଟେଟରେ ଘର କିଣି ଏବେ ପସ୍ତାଉଛନ୍ତି ବୋଲି କହିଛନ୍ତି ଚନ୍ଦ୍ରଶେଖର ।