ଉପନିର୍ବାଚନ ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, ସମସ୍ତଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡିକୁ ବିଜୟୀ କରିଥିବାରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜୟ ପରେ ଦଳୀୟ କର୍ମକତ୍ତାଙ୍କୁ ସମ୍ବୋଧିତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ନବୀନ କହିଥିଲେ ଯେ, କୋଭିଡ଼ ସମୟରେ ନିୟମ ମାନି ନିର୍ବାଚନ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କଥା ନୁହେଁ, କାମରେ ବିଶ୍ୱାସ କରିଥାଏ ବିଜେଡି । ବହୁ ସଂଖ୍ୟାରେ ବୁଥ୍ କୁ ଆସି ବିଜେଡି ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିବାରୁ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ କରାଯିବ । ଏହି ବିଜୟ ପାଇଁ ଦଳର କାର୍ଯ୍ୟକର୍ତ୍ତାମାନେ ତୃଣମୂଳସ୍ତରରେ ଭୋଟରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

CM Naveen Patnaik Virtual Campaign In Balasore Sadar Assembly Constituency

ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ପାଇଥିବା ବିଜୟ ବ୍ୟବଧାନଠାରୁ ଚଳିତଥର ବ୍ୟବଧାନ ଅଧିକ ରହିଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ନବନିର୍ବାଚିତ ବିଧାୟକ ବିଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଆଗାମୀ ଦିନରେ ତିର୍ତ୍ତୋଲର ଉନ୍ନତି ପାଇଁ ସ୍ୱର୍ଗତ ବିଷ୍ଣୁ ଚରଣ ଦାସ ଦେଖିଥିବା ସ୍ୱପ୍ନ ପୂରଣ କରାଯିବ ବୋଲି ବିଜୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଭିଡିଓ କନଫରେନ୍ସିଂ ସମୟରେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁରୂପ ଭାବେ ବାଲେଶ୍ୱର ସଦର ବିଜେଡି କର୍ମକର୍ତ୍ତା, ଭୋଟର ଏବଂ ଉପନିର୍ବାଚନ ପରିଚାଳନାରେ ଜଡିତ ଥିବା ନେତାମାନଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ଏହି ଭିଡିଓ କନଫରେନ୍ସିଂ ସଭାରେ ଦେବୀ ମିଶ୍ର, ପ୍ରତାପ ଦେବ ପ୍ରମୁଖ ସ୍ୱାଗତ ଭାଷଣ ରଖିଥିଲେ । ଏହା ପରେ ନବନିର୍ବାଚିତ ବିଜୟୀ ପ୍ରାର୍ଥୀ ସ୍ୱରୂପ ଦାସ ମଧ୍ୟ ବିଜେଡି ନେତୃବୃନ୍ଦ, କର୍ମକର୍ତ୍ତା ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ବାଲେଶ୍ୱରବାସୀଙ୍କୁ ଅଭିନନ୍ଦନ । ସେମାନଙ୍କ ଭଲପାଇବା ହିଁ ଦଳକୁ ବିଜୟୀ କରିଛି । କୋଭିଡ଼ ସମୟରେ ନିର୍ବାଚନ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ମା ମାନେ ବିପୁଳ ପରିମାଣରେ ଭୋଟ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ । ଯେଉଁମାନେ ଯେଉଁ ଅଞ୍ଚଳରେ ରହି ସଙ୍ଗଠନ କରିଥିଲେ, ସେମାନେ ସେହି ସ୍ଥାନକୁ ଯାଇ ଭୋଟରଙ୍କୁ ଧନ୍ୟବାଦ ଜଣାନ୍ତୁ । କଥା ନୁହେଁ, କାମରେ ବିଶ୍ୱାସ କରୁଥିବା ଦଳ ହେଉଛି ବିଜେଡି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply