ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସେମ୍ବର ୧୬ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟପାଠ ଦାଖଲ କର । ଏନେଇ ହାଇକୋର୍ଟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଭିଡିଓ କନଫରେନ୍‌ସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜି ଅଭୟ। ଡିଜିପିଙ୍କ ପକ୍ଷରୁ ଘଟଣା ନେଇ ଅପଡେଟ୍ ରିପୋର୍ଟ ଦାଖଲ କରାଯାଇଛି । ଡିସେମ୍ୱର ୧୬ ସୁଦ୍ଧା ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ୱର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିଲା । ୪ଜଣ ଓଟିଭି କର୍ମଚାରୀଙ୍କ ସହ ପୋଲିସ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା । ଘଟଣା ଗଣମାଧ୍ୟମକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଥିଲେ । ପୋଲିସ ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠନ କରିଥିଲା ।  ଏବେ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ହାତରେ ରହିଛି । ସେପଟେ ଶିଶୁ ସୁରକ୍ଷା ଆୟୋଗ ଓ ମହିଳା କମିଶନ ମଧ୍ୟ ଘଟଣାର ବିଭିନ୍ନ ଦିଗ ନେଇ ପକ୍ଷଭୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।

Leave a Reply