ପରିଣତ ବୟସରେ ପରିବା ଚାଷ କରି ପରିବାର ଚଳାଉଛନ୍ତି ବୃଦ୍ଧ ଦମ୍ପତି

ଢେଙ୍କାନାଳ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। ଲକଡାଉନ ଯୋଗୁ ବୃଦ୍ଧ ଦମ୍ପତ୍ତିଙ୍କର ଚାଲିଯାଇଥିଲା ଜୀବନ ଜୀବିକା। ଆଉ ଏବେ ପରିବା ଚାଷ କରି ସଫଳ ଚାଷୀ ଭାବେ ଉଭା ହୋଇଛନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ଏହି ଦମ୍ପତ୍ତି ୧୦ରୁ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇଛନ୍ତି।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗୋପାଳପାଟଣର ୭୦ ବର୍ଷୀୟ ବୃଦ୍ଧ ଧନେଶ୍ୱର ପୋଥାଳ ଓ ତାଙ୍କ ସ୍ତ୍ରୀ ୬୫ ବର୍ଷୀୟା ସତୀ ପୋଥାଳ ବୟସର ଅପରାହ୍ଣରେ ବି ପରିବାର କମାଣ ସମ୍ଭାଳିଛନ୍ତି । ଲକଡାଉନ ଯୋଗୁ ବ୍ୟବସାୟ ଠପ୍ ହୋଇଗଲା, ଯାହାଫଳରେ ପରିବାର ଭରଣପୋଷଣ କିପରି କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ବୃଦ୍ଧ ଦମ୍ପତ୍ତି। ପରେ ଦୁହେଁ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର୪ ମାସର ପରିଶ୍ରମ ପରେ ଭୁବନ ଅଞ୍ଚଳରେ ବନିଯାଇଛନ୍ତି ସଫଳ ଚାଷୀ। ପାଞ୍ଚ ଏକର ଜମିରେ ପରିବାର ଚାଷ କରି ଲକଡାଉନ ସମୟରେ ପରିବାର ଆର୍ଥିକ ମାନଦଣ୍ଡ ସୁଧାରିଛନ୍ତି।

୫ ଏକର ଜମିରେ ଭିନ୍ନ ଭିନ୍ନ ପ୍ରକାରର ପରିବା ଚାଷ ହେଉଛି। ଚାଷ କାମରେ ପୁଅମାନେ ସାହାଯ୍ୟ କରୁଥିବା ବେଳେ ଗାଁର ୧୦ରୁ ୧୫ ଜଣଙ୍କୁ ନିୟୋଜିତ କରି ସେମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ଧନେଶ୍ୱର। ବୃଦ୍ଧ ଦମ୍ପତ୍ତିଙ୍କର ଦୃଢ଼ ଆତ୍ମ ବିଶ୍ୱାସ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ବାଇଗଣ, ଭେଣ୍ଡି କାକୁଡି ପରି ନାନା ସବୁଜ ପନିପରିବା ବିକ୍ରି କରି ଲାଭବାନ ହେଉଛନ୍ତି ପୋଥାଳ ପରିବାର।

Leave a Reply