ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ଅଭିଯୋଗ, ୧୦ ଆହ‍ତ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଆଟପୁର ଅଞ୍ଚଳରେ। ଏହି ଘଟଣାରେ ୧୦ ଜଣ ଆହ‍ତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, କିଛି ଲୋକଙ୍କ ସହ ଅକ୍ଷୟ ନାୟକଙ୍କ ପୂର୍ବ ଶତ୍ରୁତା ଥିଲା । ଏହି କାରଣରୁ ଅକ୍ଷୟଙ୍କ ଘରେ ପଶି ତାଙ୍କ ପରିବାର ଲୋକଙ୍କୁ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ସମୟରେ ଅକ୍ଷୟଙ୍କ ପରିବାର ଘର ଭିତରେ ପଶି କବାଟ ବନ୍ଦ କରି ଲୁଚି ରହିଥିଲେ। ଫଳରେ ଅସାମାଜିକ ଯୁବକ ମାନେ ଅକ୍ଷୟଙ୍କ ଘର ଆଜବେଷ୍ଟ ଓ ବାଇକ୍ ଭାଙ୍ଗିବା ସହ ଷ୍ଟ୍ରିଟ୍‌ ଲାଇଟ୍ ଭାଙ୍ଗିଥିଲେ । ଏହା ଦେଖି ଅକ୍ଷୟଙ୍କ ପଡୋଶି ପ୍ରତିବାଦ କରିଥିଲେ । ଫଳରେ ସେମାନଙ୍କୁ ମଧ୍ୟ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ ଦୁର୍ବୃତ୍ତ।

ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ଆହତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଅଟକ ରଖିଛି।

Leave a Reply