୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

ମୁମ୍ୱାଇ: ୧୦ ବର୍ଷ ତଳେ ଆଜିକାର ଦିନରେ ବିଶ୍ୱ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ୍ । ହୋମ୍ ଗ୍ରାଉଣ୍ଡରେ ଖେଳୁଥିବା ଭାରତୀୟ ଦଳ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ହେବା ସହ ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅବସାନ ଘଟିଥିଲା । ପ୍ରଥମ ଥର ୧୯୮୩ ମସିହାରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ସମ୍ମାନଜନକ ଟାଇଟଲ ହାତେଇଥିବା ବେଳେ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ସଫଳତା ହାସଲ କରିଥିଲା ।

        ୨୦୧୧ ମସିହାରେ ଆଜିକାର ଦିନରେ ମୁମ୍ୱାଇର ଓ୍ୱାଙ୍ଖଡେରେ ଖେଳାଯାଇଥିବା ସେହି ଫାଇନାଲ୍ ମ୍ୟାଚକୁ ମନେ ପକାଇଲେ ଆଜି ମଧ୍ୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ଖେଳିଯାଏ । ଫାଇନାଲ ମ୍ୟାଚରେ ଗମ୍ଭୀରଙ୍କ ଚମତ୍କାର ୯୩ ରନ୍ , ଧୋନୀଙ୍କ ସେହି ଫିନିସିଂ ସିକ୍ସ ଓ ସଚିନ୍‌ଙ୍କୁ ସାଥୀ ଖେଳାଳି କାନ୍ଧରେ ଧରି ପଡ଼ିଆ ବୁଲାଇଆା ଦୃଶ୍ୟ ଆଖି ଆଗରେ ନାଚି ଉଠେ ।

       ଫାଇନାଲ୍‌ ମ୍ୟାଚ୍‌ରେ ମାହେଲା ଜୟବର୍ଦ୍ଦେନଙ୍କ ଅପରାଜେୟ ଶତକ ବଳରେ ଶ୍ରୀଲଙ୍କା ଦଳ ଭାରତୀୟ ଟିମ୍ ଆଗରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା  ।  ଅପରପକ୍ଷରେ ଦ୍ୱିତୀୟ ଇଂନିସରେ ମାଲିଙ୍ଗାଙ୍କ ଦ୍ୱିତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ୱାଗ । ତାଙ୍କ ପଛକୁ ମାଷ୍ଟର ବ୍ଳାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ଆଉଟ ହୋଇଯାଇଥିଲେ । ଏହା ପରେ ଷ୍ଟାଡିୟମ୍ ଓ ଟିଭି ପରଦାରେ ଖେଳୁ ଦେଖୁଥିବା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା । କିନ୍ତୁ ଖେଳ ଆଗକୁ ଆଗକୁ ବଢ଼ିବା ସହ ଗୌତମ ଗମ୍ଭୀର ଓ ବିରାଟ କୋହଲୀଙ୍କ ମଧ୍ୟ ଭଲ ପାର୍ଟନରସିପ୍ ହୋଇଥିଲା । ଯାହା ଭାରତୀୟ ଫ୍ୟାନ୍‌ଙ୍କ ମନରେ ନୂଆ ଆଶା ସଂଚାର କରିଥିଲା । ୮୩ ରନ୍‌ର ପାର୍ଟନରସିପ୍ ପରେ କୋହଲୀ ମଧ୍ୟ ଆଉଟ୍ ହୋଇ ପେଭିଲିୟନ ଫେରିଥିଲେ । କୋହଲୀ ଆଉଟ୍ ହେବା ପରେ ଧୋନୀ ନିଜକୁ ବ୍ୟାଟିଂ ଅର୍ଡରେ ପ୍ରମୋଟ କରିଥିଲେ । ଏହା ପରେ ଗମ୍ଭୀରଙ୍କ ସହ ମିଶି ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ  । ଏକ ପ୍ରକାର ନିଶ୍ଚିତ ବିଜୟ ଭାରତୀୟ ଟିମ୍ ଅଗ୍ରସର ହେଉଥିବା ବେଳେ ୯୭ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ ଗୌତମ ଗମ୍ଭୀର । ଐତିହାସିକ ମ୍ୟାଚ୍‌ରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ ଗମ୍ଭୀର । କିନ୍ତୁ ଟାଇଟଲ୍ ବିଜୟରୁ ବଞ୍ଚିତ ହୋଇନଥିଲା ଟିମ୍ ଇଣ୍ଡିଆ । ଯୁବରାଜ୍ ସିଂହଙ୍କ ସହ ମିଶି ବିଜୟର ମୁଣ୍ଡି ମାରିଥିଲେ ଧୋନୀ । ଏହା ପରେ ଆଉ ୨ଟି ବିଶ୍ୱକପ୍ ଖେଳାଯାଇଥିଲେ ମଧ୍ୟ ଭାରତୀୟ ଦଳ ନିଜ ଐତିହାସିକ ପ୍ରଦର୍ଶନର ପୁନରାବୃତ୍ତି କରିପାରିନାହିଁ । ୨୦୧୧ ବିଶ୍ୱବିଜୟୀ ଦଳର ଅଧାଧିକ ଖେଳାଳି କ୍ରିକେଟରୁ ସନ୍ୟାସ ନେଇସାରିଥିବା ବେଳେ ଏବେ ଯୁବ ତାରକାଙ୍କ ଠାରେ ଆଶା ବାନ୍ଧି ରଖିଛନ୍ତି ଭାରତୀୟ ପ୍ରଶଂସକ ।

Leave a Reply