ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ  ଅଧିକାରୀ

ଭୁବନେଶ୍ବର: ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ  ଅଧିକାରୀ । ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇବାକୁ ଯାଉଛନ୍ତି । ଅର୍ଥ ବିଭାଗରେ ମୋଟ୍ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ଜଣ କନିଷ୍ଠ କିରାଣୀ ଏବଂ ୮ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ୍ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇବେ ।

କ୍ରୀଡା ବିଭାଗରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯିବ । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ ।  ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ଵତୀ ଏସ୍ ଉପସ୍ଥିତ ରହିବେ।