ଭୟାବହ ହେଉଛି ମହାମାରୀ କରୋନା, ମାସକରେ ରାଜ୍ୟରୁ ୧ ଲକ୍ଷରୁ ଅଧିକ ପଜିଟିଭ୍

1 min read
19 District Of Odisha In Covid Red Zone

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ଏପ୍ରିଲ୍ ଆରମ୍ଭରୁ ରାଜ୍ୟରେ ବଢ଼ିଥିବା ଦୈନିକ ସଂକ୍ରମଣ ୯ ତାରିଖରେ ୧ ହଜାର ଟପିଥିଲା । ମାସ ଶେଷକୁ ଏହା ୧୦ ଗୁଣ ବୃଦ୍ଧି ପାଇ ୧୦ ହଜାର ଡେଇଁଛି । ଏଥିସହ ରାଜ୍ୟରେ ଏପ୍ରିଲ୍ ମାସରେ ମୋଟ ୧ ଲକ୍ଷ ୧୩ ହଜାର ୫୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୧ ତାରିଖ ଯାଏ ଦୈନିକ ସଂକ୍ରମଣ ୫ ହଜାର ତଳେ ଥିବାବେଳେ ୨୨ ତାରିଖ ବେଳକୁ ୬ ହଜାର ଟପିଥିଲା । ୨୮ ତାରିଖରେ ୮ ହଜାର ଟପିବା ସହ ମାସ ଶେଷରେ ସଂକ୍ରମଣର ସବୁ ରେକର୍ଡକୁ ଭାଙ୍ଗି ୧୦ ହଜାର୍ ପାର୍ କରିଛି ।

19 District Of Odisha In Covid Red Zone

ରାଜ୍ୟର ୩୦ ଜିଲ୍ଲାରୁ ଏବେ ୧୯ ଜିଲ୍ଲା କୋଭିଡ୍ ରେଡ୍ ଜୋନରେ ରହିଛି । ଅରେଞ୍ଜ ଜୋନରେ ରାଜ୍ୟର ୭ ଜିଲ୍ଲା ରହିଥିବା ବେଳେ ମାତ୍ର ୪ଟି ଜିଲ୍ଲା ରହିଛି ଗ୍ରୀନ୍ ଜୋନରେ ।

କେମିତି ନିର୍ଦ୍ଧାରିତ ହୁଏ ଜୋନ୍ ?

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ, ୫୦୦ରୁ କମ୍ ସକ୍ରିୟ ଆକ୍ରାନ୍ତ ଥିବା ଜିଲ୍ଲାକୁ ଗ୍ରୀନ୍ ଜୋନ୍ କୁହାଯିବ । ୫୦୦ରୁ ଏକ ହଜାର ସକ୍ରିୟ ଆକ୍ରାନ୍ତ ଜିଲ୍ଲା ହେଉଛି ଅରେଞ୍ଜ ଜୋନ୍ । ସେହିଭଳି ଏକ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଥିବା ଅନ୍ୟ ସମସ୍ତ ଜିଲ୍ଲା ରେଡ୍ ଜୋନ୍ ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁସଂଖ୍ୟା ୨୦୫୪କୁ ବୃଦ୍ଧି

ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ?

୬ ଜିଲ୍ଲାରେ ଆକ୍ଟିଭ୍ କେସ୍ ୩ ହଜାର ଉପରେ ରହିଛି । ସର୍ବାଧିକ ସକ୍ରିୟ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । ଜିଲ୍ଲାରେ ୧୨ ହଜାରରୁ ଅଧିକ ସକ୍ରିୟ ସଂକ୍ରମଣ ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ଟିଭ୍ କେସ୍ ୬ ହଜାର ଉପରେ ରହିଛି । କଟକ ଜିଲ୍ଲାରେ ୪ ହଜାର ୫୪୩ ଆକ୍ରାନ୍ତ ରହିଥିବା ବେଳେ କଳାହାଣ୍ଡିରେ ୩ ହଜାର ୬୦୨ଟି ଆକ୍ଟିଭ୍ କେସ୍ ରହିଛି । ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି ।

ଏଥିସହ ପଢ଼ନ୍ତୁ- ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ମାଲକାନଗିରି ଜିଲ୍ଲାରେ ୨୪୮ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ସେହଭଳି ଗ୍ରୀନ୍ ଜୋନରେ ଥିବା କନ୍ଧମାଳ ଜିଲ୍ଲାରେ ୩୮୬ଟି ଆକ୍ଟିଭ୍ କେସ୍, ଦେବଗଡ଼ରେ ୪୧୬ଟି ଆକ୍ଟିଭ୍ କେସ୍, ଢେଙ୍କାନାଳରେ ୨୧୫ଟି ଆକ୍ଟିଭ୍ କେସ୍ ରହିଛି । ଏକ ହଜାରରୁ କମ୍ ସକ୍ରିୟ ମାମଲା ସହ କୋରାପୁଟ, ଗଜପତି, ବୌଦ୍ଧ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା କୋଭିଡ୍ ଅରେଞ୍ଜ ଜୋନରେ ରହିଛି ।

ସବୁଠି କଡ଼ା କଟକଣା

ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର କୋଭିଡ୍ ନିୟମକୁ କଡ଼ାକଡ଼ି କରିଛନ୍ତି । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ତା’ଛଡ଼ା ରାଜ୍ୟର ଅନ୍ୟ ସମସ୍ତ ସହରାଞ୍ଚଳରେ ରାତି ୯ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ଦିନ ୨ଟାରୁ ଦୋକାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Leave a Reply