୨୦୨୦ ଛଡ଼ାଇ ନେଇଥିଲା ଏହି ତାରକାଙ୍କ ଜୀବନ

ଆଉ କେଇଟା ଦିନ ପରେ ଆସିବ ନୂଆବର୍ଷ ୨୦୨୧ । ବିଦାୟ ନେବ ମାନବ ସମାଜକୁ ଅଧିକ କ୍ଷତିଗ୍ରସ୍ତ କରିଥିବା ଅଶୁଭ ୨୦୨୦ । ଚଳିତ ବର୍ଷରେ ମାନବ ସମାଜ ଏପରି ଏକ ମହାମାରୀକୁ ସାମ୍ନା କରିଛି ଯାହା ଛଡ଼େଇ ନେଇଛି ଲୋକଙ୍କ ସୁଖ ସମୃଦ୍ଧିକୁ । ଏହି କରୋନା ମହାମାରୀରେ କିଏ ନିଜ ପରିଜନଙ୍କୁ ହରାଇଛି ତ କିଏ କରୋନା କବଳରୁ ନିଜକୁ ବଞ୍ଚାଇପାରିନି । ଦେଖର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ଏହି ମହାମାରୀ ସହ ଲୋକ ଆଜିବି ସଂଘର୍ଷ କରୁଛନ୍ତି । ତେବେ ଚଳିତ ବର୍ଷ କରୋନା ମହାମାରୀ ସହ ଯଦି ଆଉ କିଛି ଚର୍ଚ୍ଚାର ବିଷୟ ପାଲଟିଥିଲା ତେବେ ତାହା ହେଉଛି ଚଳଚିତ୍ର ଜଗତରେ ତାରକାଙ୍କ ମୃତ୍ୟୁ ଖବର ।

୨୦୨୦ ଚଳଚିତ୍ର ଜଗତ ପାଇଁ ଏକ ଅଭିଶାପର ବର୍ଷ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ପ୍ରିୟ ସିନେ ତାରକାଙ୍କୁ ହରାଇ ପ୍ରଶଂସକଙ୍କ ମଧ୍ୟରେ ସତେ ଯେମିତି ଶୋକର ଛାୟା ଖେଳିଯାଇଥିଲା ।

୧. ସୁଶାନ୍ତ ସିଂହ ରାଜପୁତ

ଜୁନ ୧୪ ତାରିଖ ଦିନ ପ୍ରାୟ ୨ଟା… ହଠାତ ସମସ୍ତ ନ୍ୟୁଜ ଚ୍ୟାନେଲରେ ଖବର ପ୍ରସାରଣ ହେଲା ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରଟି ସାଙ୍ଗେ ସଙ୍ଗେ କେହି ଗ୍ରହଣ କରିପାରିଲେ ନାହିଁ କିନ୍ତୁ ବିଧିର ବିଧାନ ଘଟିସାରିଥିଲା । ନିଜ ବାସଭବନରୁ ଉଦ୍ଧାର ହେଲା ସୁଶାନ୍ତଙ୍କ ମୃତଦେହ । ସୁଶାନ୍ତଙ୍କ ମୃତ୍ୟୁ ଆଜିବି ଏକ ରହସ୍ୟ ହୋଇ ରହିଛି । ତାଙ୍କ ମୃତ୍ୟୁ ପୂରା ବଲିଉଡକୁ ଦୋହଲାଇ ଦେଇଥିଲା ।

୨. ଋଷି କପୁର: 

୬୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲିଯାଇଥିଲେ ବଲିଉଡର ବର୍ଷିୟାନ ଅଭିନେତା ଋଷି କପୁର । ଋଷି କପୁର କ୍ୟାନ୍ସରେ ପୀଡିତ ଥିଲେ । ଗତ ବର୍ଷ ସେ ଆମେରିକାରୁ ଚିକିତ୍ସା ହୋଇ ଭାରତ ଫେରିଥିଲେ । ସମ୍ପୂର୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଭେଟେରାନ ଅଭିନେତା ଋଷି କପୁରଙ୍କ ପରଲୋକ ଦର୍ଶକଙ୍କ ପାଇଁ ବେଶ ଦୁଃଖଦ ଘଟଣା ଥିଲା । ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଥିଲା

୩. ଇରଫାନ ଖାନ:

ବଲିଉଡ୍‌ ଅଭିନେତା ଇର୍ଫ।ନ ଖାନଙ୍କ ୫୩ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୨୦୧୮ରୁ ସେ କ୍ୟାନସରରେ ପୀଡ଼ିତ ଥିଲେ । ଅଙ୍ଗ୍ରେଜୀ ମିଡିୟମ୍‌ ଥିଲା ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର। ମକ୍‌ବୁଲ, ପିକୁରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ଇର୍ଫ।ନ୍‌ ପାନ୍‌ ସିଂ ତୋମର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାଛଡ଼ା ସ୍ଲମ୍‌ ଡଗ ମିଲେନିୟର, ଇନ୍‌ଫେନୋ, ଲାଇଫ୍‌ ଅଫ୍‌ ପାଏରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ୨୦୧୮ ମସିହାରେ ମାର୍ଚ୍ଚ ମାସରେ ଇରଫାନ ଅଚାନକ ଅସ୍ୱସ୍ଥ ହୋଇପଡିଥିଲେ । ଇରଫାନ୍ ନିଜ ରୋଗ ସମ୍ବନ୍ଧରେ ଟ୍ୱିଟ୍ କରି ଜଣାଇଥିଲେ ।

୪. ୱାଜିଦ ଖାନ:

୨୦୨୦ ମସିହାରେ ବଲିଉଡକୁ ସତେ ଯେମିତି କାହାର ନଜର ଲାଗିଯାଇଥିଲା । ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁରଙ୍କ ପରେ ଚର୍ଚ୍ଚିତ ୱାଜିଦ୍ ଖାନଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । କୀଡ୍‌ନି ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ ଖାନ୍‌। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କେବଳ ସେତିକି ନୁହେଁ ରିପୋର୍ଟ ଅନୁସାରେ ସେ କରୋନା ସଂକ୍ରମିତ ମଧ୍ୟ ଥିଲେ ବୋଲି ସୂଚନା ମିଳିଥିଲା ।

୫. ସରୋଜ ଖାନ:

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମାତ୍ର ୩ ବର୍ଷ ବୟସରୁ ସେ ବ୍ୟାକଗ୍ରାଉଣ୍ଡ ଡାନ୍‌ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସରୋଜ ଖାନ ୨୦୦ରୁ ଅଧିକ ବଲିଉଡ ଗୀତ ପାଇଁ ସେ କାମ କରିଥିଲେ। ୨୦୧୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ କଲଙ୍କରେ ସେ ଶେଷ ଥର ପାଇଁ କାମ କରିଥିଲେ । ୧୯୭୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗୀତା ମେରା ନାମ୍ ରେ ସେ ପ୍ରଥମ ଥର ପାଇଁ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବେ କାମ ଆରମ୍ଭ କରିଥିଲେ ।

୬. ଏସପି ବାଲାସୁବ୍ରମଣ୍ୟମ:

୭୪ ବର୍ଷ ବୟସରେ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ବାଲାସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା । ସୁବ୍ରମଣ୍ୟମଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା । ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ଅଗଷ୍ଟ ୫ ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଫେସବୁକରେ ସୂଚନା ଦେଇଥିଲେ, ଯାହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ରେକର୍ଡ଼ କରି ଗିନିଜ ଓ୍ୱାର୍ଲଡ ରେକର୍ଡ଼ କରିଛନ୍ତି । ହିନ୍ଦୀ ସିନେମାରେ ଗୋଟିଏରୁ ଗୋଟିଏ ବଡ଼ ହିଟ୍ ଗୀତ ଗାଇଛନ୍ତି ଏସ୍‌ପି ବାଲାସୁବ୍ରମଣ୍ୟମ୍ । ସେ ଗାଇଥିବା କିଛି ଗୀତ ସାଲମନ୍‌ ଖାନଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଥିଲା ।

୭. ଆସିଫ୍ ବସ୍ରା

ବଲିଉଡ ଅଭିନତା ଆସିଫ ବସ୍ରା ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଧର୍ମଶାଳା ମ୍ୟାକ୍‌ଲେଣ୍ଡଗଞ୍ଜର ଜୋଗିବାଡା ରୋଡରେ ଥିବା ଏକ କାଫେ ନିକଟରେ ସେ ଆତ୍ମହତ୍ୟା କରିଥିଲେ । ଏଯ଼ାବତ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନାମୁତାବକ ଆସିଫ୍ ବସ୍ରା ବ୍ରିଟେନର ଜଣେ ମହିଳାଙ୍କ ସହ ମ୍ୟାକ୍‌ଲେଣ୍ଡଗଞ୍ଜରେ ଲିଭ୍‌ ଇନ୍‌ରେ ରହୁଥିଲେ । ସେ ତାଙ୍କ କୁକୁରକୁ ବୁଲାଇବାକୁ ବାହାରକୁ ଯାଇଥିଲେ ଏବଂ ଘରକୁ ଫେରିବା ପରେ, ସେ ତାଙ୍କ କୁକୁର ବେକରେ ଲାଗିଥିବା ଦଉଡ଼ି ଆଣି ସେଥିରେ ନିଜକୁ ଫାଶି ଲଗାଇଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ଡିପ୍ରେସନ୍‌ର ଶିକାର ଥିଲେ ।

୮. ଜୟ ପ୍ରକାଶ ରେଡ୍ଡୀ

ଟଲିଉଡର ମଞ୍ଚ ଏବଂ ପରଦାରେ ଜୀବନ୍ତ ଅଭିନୟ କରି ନିଆରା ଉଦାହରଣ ସାଜିଥିଲେ ଜୟପ୍ରକାଶ । ଏକାଧିକ ଫିଲ୍ମରେ ସେ ଦେଖାଇଛନ୍ତି ଅଭିନୟର ଜଲଓ୍ୱା । କେବେ ହାସ୍ୟ କଳାକାର ତ କେବେ ଖଳନାୟକ । ଜେ.ପି ଭାବରେ ଜଣାଣୁଣା ଏହି ଅଭିନେତା ଜଣେ ଶିକ୍ଷକ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଅଭିନୟ ପ୍ରତି ଥିବା ଦୃଢ ଇଛା ଶକ୍ତି ଟାଣି ଆଣିଥିଲା ରୂପେଲି ପରଦାକୁ । ପ୍ରଥମେ ଅଗଣିତ ମଞ୍ଚରେ ଅଭିନୟ କରିଛନ୍ତି ଜେ.ପି, ଆଉ ତା ପରେ ରୂପେଲି ପରଦାରେ ତାଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ୭୪ ବର୍ଷରେ ହୃଦଘାତରେ ଜୟପ୍ରକାଶଙ୍କ ପରଲୋକ ହୋଇଥିଲା । ଏହାର ସୂଚନା ଦେଇଥିଲେ ତାଙ୍କ ପତ୍ନି ଓ ପୁଅ । ତାଙ୍କ ମୃତ୍ୟରେ ଦକ୍ଷିଣ ଭାରତ ଚଳଚିତ୍ର ଜଗତରେ ଖେଳିଯ଼ାଇଥିଲା ଶୋକର ଛାୟା ।

୯. ଜଗଦୀପ

ଜୁଲାଇ ୯ ତାରିଖରେ ୮୧ ବର୍ଷ ବୟସରେ ବଲିଉଡ ଜଗତର ଭେଟେରାନ ହାସ୍ୟ ଅଭିନେତା ଜଗଦୀପ ତାଙ୍କ ଦେହାନ୍ତ ହୋଇଥିଲା । ବ୍ଲକବଷ୍ଟର ଫିଲ୍ମ ଶୋଲେରେ ନିଜ ସୁରମା ଭୋପାଲୀ ଚରିତ୍ର ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ୪୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯଦୁ ଦେଖାଇଛନ୍ତି । ମାର୍ଚ୍ଚ ୨୯, ୧୯୩୯ ମସିହାରେ ଅମରିତସରରେ ଜନ୍ମ ଗ୍ରହଣ କରିଥିବା ଜଗଦୀପଙ୍କ ପ୍ରକୃତ ନାମ ହେଉଛି ସୟେଦ ଇସତିଆକ୍ ଅହମଦ ଯାଫ୍ରି ।

୧୦.ଦିବ୍ୟା ଭଟନାଗର

‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଗୁଲାବୋ ତଥା ଆକ୍ଟ୍ରେସ୍ ଦିବ୍ୟା ଭଟନାଗରଙ୍କ ଦେହାନ୍ତ ଖବରରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ତାଙ୍କ ନିଧନରେ ଟେଲିଭିଜନ ଗଜତର ଅଭିନେତା/ଅଭିନେତ୍ରାମାନେ ସୋସିଆଲ୍ ମିଡିଆରେ ଶୋକଭରା ପୋଷ୍ଟ କରିଥିଲେ । ତେବେ ଅସୁସ୍ଥତା କାରଣରୁ ଗତ ନଭେମ୍ବର ୨୬ରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଯାହା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ବେଳେ ତାଙ୍କ ଦେହାନ୍ତ ଘଟିଥିଲା ।

Leave a Reply