ସୁର କୋଭିଡ଼ ସଂକ୍ରମିତ, ସଂଗରୋଧରେ ରହିବେ ପତି-ପତ୍ନୀ
ଭୁବନେଶ୍ୱର: ମାସ୍କ ପିନ୍ଧୁନଥିଲେ । ଭୂତାଣୁକୁ ବେଖାତିର କରୁଥିଲେ । ଏବେ ସଂକ୍ରମିତ ହେଲେ । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା । ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ।
ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ କୋଭିଡର କହର ଜାରି ରହିଥିଲା । ସେହି ସମୟରେ ସୁର କୋଭିଡର ନିୟମକୁ ବେଖାତିର କରିଚାଲିଥିଲେ । ପ୍ରଥମ ପର୍ଯ୍ୟାୟ କୋଭିଡ ଏବଂ ଦ୍ୱିତୀୟ ପର୍ଯ୍ୟାୟ କୋଭିଡରେ ମଧ୍ୟ ମାସ୍କ ପିନ୍ଧୁନଥିଲେ ବିଧାୟକ ସୁର ରାଉତରାୟ ।
ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି । କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର ।