spot_img

Latest Posts

ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ହେଲିକପ୍ଟର ଦାବି କଲା ଓଡ଼ିଶା

ଭୁବନେଶ୍ୱର: ନକ୍ସଲ ମୁକାବିଲା ଲାଗି ଓଡ଼ିଶା ମାଗିଲା ହେଲିକପ୍ଟର। ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ଏକ ସବୁଦିନିଆ ହେଲିକପ୍ଟର ଯୋଗାଇଦେବାକୁ ଦାବି କରିଛି ଓଡ଼ିଶା। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ଏହାସହ ସେ କହିଛନ୍ତି ଯେ, ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥାନରେ ଅଛି। ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲା ନକ୍ସଲ ଉପଦ୍ରୁତ ଥିଲା। ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ମାଓ ଅଧ୍ୟୁଷିତ ଅଂଚଳରେ ନକ୍ସଲଙ୍କ ଉପସ୍ଥିତି ହ୍ରାସ ପାଇଛି । ଜନସାଧାରଣଙ୍କ ଗମନାଗମନ ସୁବିଧା, ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଯୋଗାଣ, ବାୟୁ ସ୍ବାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଉନ୍ନତ ସ୍ବାସ୍ଥ୍ୟସେବାରୁ ମାଓ କାର୍ଯ୍ୟକଳାପ କମିଛି। ମାଓ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରାଜ୍ୟ କେନ୍ଦ୍ରକୁ ଦାବି କରିଛି।

ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ କହିଛି ଓଡ଼ିଶା। ମାଲକାନଗିର ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି। ଅନେକ ମାଓବାଦ ଛାଡି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି୍। ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଦିଲ୍ଲୀରେ ନକ୍ସଲ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ। ଏଥିରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପି ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଏଥିରେ ଯୋଗ ଦେଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

Latest Posts

Don't Miss