ଅଟାଓ୍ବା: କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୁଙ୍କ ଇସ୍ତଫା ପରେ କିଏ ହେବ କାନାଡ଼ାର ପ୍ରଧାନମନ୍ତ୍ରୀ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଦୌଡ଼ରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ଅନିତା ଏବେ ପରିବହନ ମନ୍ତ୍ରୀ ଅଛନ୍ତି। ଏହା ପୂର୍ବରୁ ସେ ପ୍ରତିରକ୍ଷା, ପବ୍ଲିକ ସର୍ଭିସେସ୍ ଓ ପ୍ରୋକ୍ୟୁରିଏଣ୍ଟ ମନ୍ତ୍ରାଳୟ ବି ସମ୍ଭାଳିଥିଲେ। ଟ୍ରେଜେରି ବୋର୍ଡର ମଧ୍ୟ ସଭାପତି ଥିଲେ ଅନୀତା ଆନନ୍ଦ। ତାଙ୍କର ବାପା ଜଣେ ତାମିଲ ଓ ମାଆ ପଞ୍ଜାବୀ । ୫୭ ବର୍ଷୀୟ ଅନୀତା ଆନନ୍ଦ ଅକ୍ସଫୋର୍ଡରେ ପାଠ ପଢ଼ିଛନ୍ତି। ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପରେ ସେ ମନ୍ତ୍ରୀ ହୋଇଥିଲେ। ଯୁଦ୍ଧରେ ଧ୍ଵଂସସ୍ତୁପରେ ପରିଣତ ହୋଇଥିବା ୟୁକ୍ରେନକୁ ସହାୟତା ଯୋଗାଡ଼ କରିବାରେ ଅନୀତା ଆନନ୍ଦଙ୍କ ପ୍ରମୁଖ ଭୂମିକା ଥିଲା। ଟ୍ରେଜେରି ବୋର୍ଡ ସଭାପତି ଭାବେ ନିଯୁକ୍ତି ପାଇବା ପରେ ସେ ୨୦୨୪ ଡିସେମ୍ଵରରେ ପ୍ରତିରକ୍ଷା ମନ୍ତ୍ରାଳୟ ଛାଡ଼ିଥିଲେ। ତା ପରେ ପୁଣି ଏକ ଅଦଳ ବଦଳରେ ତାଙ୍କୁ ମିଳିଥିଲା ପରିବହନ ବିଭାଗ। ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ ଜଷ୍ଟିନ। ନିଜ ଦଳରୁ ବିରୋଧର ସମ୍ମୁଖୀନ ହେବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତେବେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ମାର୍ଚ୍ଚ ୨୪ ତାରିଖ ଯାଏ କାନାଡ଼ାର ପାର୍ଲାମେଣ୍ଟ ମଧ୍ୟ ସସପେଣ୍ଡ ରହିବ ବୋଲି କୁହାଯାଇଛି ।

