ସ୍ପିନରଙ୍କ ଜାଲରେ ଫସିଗଲା ନ୍ୟୁଜିଲାଣ୍ଡ, ୪୪ ରନରେ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଶେଷ ଲିଗ୍ ମ୍ୟାଚରେ ଭାରତର ବିଜୟ । ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଭାରତ ବିଜୟୀ ହୋଇଛି।ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟାସ ଆୟର ସର୍ବାଧିକ ୭୯ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ଵିତୀୟ ସର୍ବାଧିକ ୪୫ ରନ କରିଥିଲେ। ଅକ୍ଷର ପଟେଲ ୪୨, କେଏଲ ରାହୁଲ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।

ଜବାବରେ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭରୁ ଭାରତୀୟ ସ୍ପିନରଙ୍କ ସହ ସଂଘର୍ଷ କରିଥିଲା। କେନ୍‌ ଓ୍ବିଲିୟମସନ ଗୋଟିଏପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଜାରି ରହିଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବିଲିୟମସନ ସର୍ବାଧିକ ୮୧ ଓ ଅଧିନାୟକ ମିଚେଲ ସାଣ୍ଟନର ୨୮ ରନ୍‌ କରିଥିଲେ। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ୫ ଉଇକେଟ ସଫଳତା ହାସଲ କରିଥିଲେ।

ଏହି ମ୍ୟାଚର ଫଳାଫଳ ସହିତ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିଭଳି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ୫ ତାରିଖରେ ଖେଳାଯିବ।