ପାକିସ୍ତାନରେ ଭାରତର ମିସାଇଲ ଷ୍ଟ୍ରାଇକ୍ ପରେ ବଦଳିଲା ଚୀନର ସ୍ବର

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଚୀନର ସ୍ବର ବଦଳିଛି । ଭାରତ ଓ ପାକିସ୍ତାନକୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚାପକୁ କମ୍ କରିବା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସମୁଦାୟ ସହ କାମ କରି ଚାପକୁ କମ୍ କରାଯାଇପାରେ ବୋଲି ଚୀନ କହିଛି । ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପଡ଼ୋଶୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଚୀନ କ୍ରମାଗତ ଭାବେ ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ମାତ୍ର ଭାରତର ଅପରେସନ ସିନ୍ଦୂର ପରେ ଚୀର ସ୍ବର ଏବେ ବଦଳି ଯାଇଛି ।
ଚୀନର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନର ସ୍ଥିତିକୁ ନେଇ ଆମେ ଚିନ୍ତିତ । ଭାରତ ଓ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ହୋଇ ରହିବେ । ଏହି ଦୁଇ ଦେଶ ଚୀନର ମଧ୍ୟ ପଡ଼ୋଶୀ ଅଟନ୍ତି । ଚୀନ ଆତଙ୍କବାଦକୁ ସବୁକ୍ଷେତ୍ରରେ ବିରୋଧ କରେ । ଉଭୟ ପକ୍ଷଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଶାନ୍ତି ବଜାୟ ରଖିବା ଓ କୌଣସି ପ୍ରକାରର ଉତ୍ତେଜନା ପରିସ୍ଥିତି ଠାରୁ ଦୂରେଇ ରହିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେର ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା ।