ପାକିସ୍ତାନୀ ହେବା ଏକ କଳଙ୍କ! ଜଣେ ବ୍ୟକ୍ତି ବର୍ଣ୍ଣନା ତାଙ୍କ ଦୁଃଖଦ ଘଟଣା । କହିଲେ, ମୋତେ ଦେଶରେ ପଶେଇ ଦିଆଗଲାନି, ୧୨ ଘଣ୍ଟା ପାଇଁ ବନ୍ଦୀ କରି ରଖାଗଲା
1 min read
ନନ୍ଦିଘୋଷ ବ୍ୟୁରୋ : ୟୁଏଇରେ ରହୁଥିବା ଜଣେ ପାକିସ୍ତାନୀ ନାଗରିକ ଜର୍ଜିଆର କୁଟାଇସି ବିମାନବନ୍ଦରରେ ତାଙ୍କ ସହିତ ଘଟିଥିବା ଏକ ଅପ୍ରୀତିକର ଘଟଣାର ଖୁଲାସା କରିଛନ୍ତି । ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ କେବଳ ଜର୍ଜିଆରେ ପ୍ରବେଶ କରିବାକୁ ମନା କରାଯାଇନଥିଲା, ବରଂ ବିମାନବନ୍ଦର ଅଧିକାରୀମାନେ ସେମାନଙ୍କୁ ୧୨ ଘଣ୍ଟା ପାଇଁ କୋଠରୀରେ ବନ୍ଦ କରିଥିଲେ। ରେଡିଟରେ ଏକ ଲମ୍ବା ପୋଷ୍ଟରେ, ବ୍ୟକ୍ତି ଜଣକ ଅନ୍ୟ ପାକିସ୍ତାନୀମାନଙ୍କୁ ଜର୍ଜିଆ ଯାତ୍ରା ନ କରିବାକୁ ଚେତାବନୀ ଦେଇଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ତାଙ୍କ ଛୁଟି ଉପଭୋଗ କରିବାକୁ ବହୁତ ଉତ୍ସାହିତ ଥିଲେ, କିନ୍ତୁ କୁଟାଇସି ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କ ଚିନ୍ତା ବଢିଯାଇଥିଲା ।
ଜର୍ଜିଆ ୟୁଏଇ ନାଗରିକମାନଙ୍କୁ ଭିସା-ମୁକ୍ତ ପ୍ରବେଶ ଅନୁମତି ଦିଏ। ସେମାନେ ଏଠାରେ ଭିସା ବିନା ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ। ଯେହେତୁ ପାକିସ୍ତାନୀ ବ୍ୟକ୍ତିଙ୍କ ପାଖରେ ୟୁଏଇ ରହଣି ପରମିଟ୍ ଥିଲା, ସେ ଭାବିଥିଲେ ସେ ମଧ୍ୟ ସହଜରେ ଜର୍ଜିଆରେ ପ୍ରବେଶ କରିପାରିବେ।
ରେଡିଟ୍ ପୋଷ୍ଟ ଅନୁଯାୟୀ, ଯେତେବେଳେ ବ୍ୟକ୍ତି ଜଣକ ବିମାନବନ୍ଦର ଅଧିକାରୀଙ୍କୁ କହିଲେ, ସେ ଓ ତାଙ୍କ ବନ୍ଧୁ ପାକିସ୍ତାନୀ ନାଗରିକ, ସେମାନଙ୍କ ପାସପୋର୍ଟ ଛଡ଼ାଇ ନିଆଯାଇଥିଲା । ତା’ ପରେ ସେମାନଙ୍କୁ ଏକ କୋଣରେ ଠିଆ କରାଯାଇଥିଲା ଓ ଅଧିକାରୀମାନେ ସେମାନଙ୍କର ଫଟୋ ଉଠାଇବା ଆରମ୍ଭ କରିଥିଲେ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ ଥିଲା। ଏହା ପରେ, ଉଭୟଙ୍କୁ ଏକ କୋଠରୀକୁ ନିଆଯାଇ ତାଲା ପକାଇ ଦିଆଯାଇଥିଲା। ୨୦ ମିନିଟ୍ ପରେ, ଜଣେ ମହିଳା ଅଧିକାରୀ ଆସି କହିଲେ, ତୁମକୁ ଜର୍ଜିଆରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ପଚରାଯିବାରୁ, ସେ କାରଣ ମଧ୍ୟ କହି ନଥିଲେ। ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କ ଡକ୍ୟୁମେଣ୍ଟରେ କୌଣସି ତ୍ରୁଟି ନଥିଲା, କିମ୍ବା ସେ ଖରାପ ବ୍ୟବହାର କରି ନଥିଲେ। ତଥାପି, ତାଙ୍କୁ ୧୨ଘଣ୍ଟା ପାଇଁ ଜଣେ ଅପରାଧୀ ପରି ବନ୍ଦ କରି ରଖାଯାଇଥିଲା।
ସେହି ବ୍ୟକ୍ତି ଅଭିଯୋଗ କରିଛନ୍ତି, ଯେତେବେଳେ ସେ ପାକିସ୍ତାନୀ ଦୂତାବାସକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ, ଅଧିକାରୀମାନେ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ତାଙ୍କୁ କିଛି ଖାଇବାକୁ କିମ୍ବା ପିଇବାକୁ ମଧ୍ୟ ଦିଆଯାଇ ନଥିଲା। ରେଡିଟ୍ ପୋଷ୍ଟରେ, ବ୍ୟକ୍ତି ଜଣକ ଲେଖିଛନ୍ତି, ଆମେ ପୂର୍ବରୁ ବିମାନ ଯାତ୍ରା, ହୋଟେଲ, କାର ଭଡ଼ା ଓ ଅନ୍ୟାନ୍ୟ ଅନେକ ଜିନିଷ ପାଇଁ ଦେୟ ଦେଇସାରିଛୁ। ଆମେ କେବଳ ଆର୍ଥିକ କ୍ଷତି ସହିନାହୁଁ, ବରଂ ତା’ଠାରୁ ଅଧିକ ମାନସିକ ନିର୍ଯାତନା ଓ ଅପମାନଜନକ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ୟକ୍ତିଙ୍କ ଏହି ଦୁଃଖଦ ଘଟଣା ଉପରେ, ଅନେକ ଲୋକ ସେମାନଙ୍କ ସହିତ ସମାନ ଅଭିଜ୍ଞତା ବାଣ୍ଟିଛନ୍ତି। ଜଣେ ୟୁଚର୍ସ ଲେଖିଛନ୍ତି, ପାକିସ୍ତାନୀ ହେବା ଏକ କଳଙ୍କ।