ବୋଲ ମାନୁନି ଝାଡାବାନ୍ତି, ଯାଜପୁର ପରେ କେନ୍ଦୁଝର, ଭଦ୍ରକ ଓ କଟକରେ ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ : ବୋଲ ମାନୁନି ଝାଡାବାନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡି ଚାଲିଛି । ଯାଜପୁରରେ ହଇଜା ଭୂତାଣୁ ଚିହ୍ନଟ ହେବା ପରେ ଆଉ ତିନି ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । ସ୍ଥିତି ସଙ୍ଗୀନ ହେଉଥିବାରୁ ରଜରେ ଭୋଜିଭାତରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ହଇଜା । ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ସ୍ଥିତି । ଯାଞ୍ଚ ହୋଇଥିବା ୨୧ଟି ନମୁନାରୁ ୧୧ଜଣଙ୍କ ଠାରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ଜିଲ୍ଲାରେ ହଇଜା ମାଡିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ୬ବ୍ଲକର ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଏବେ ବି ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଯୋଗୁ ସୀମାବର୍ତ୍ତୀ କେନ୍ଦୁଝର ଓ ଭଦ୍ରକ ସହ କଟକ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି ଝାଡାବାନ୍ତି । ସେପଟେ କେନ୍ଦୁଝରରେ ୩ଜଣ, ଭଦ୍ରକ ଓ କଟକରୁ ମଧ୍ୟ ଜଣେ ଲେଖାଏଁ ଝାଡାବାନ୍ତିରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝରର ଆନନ୍ଦପୁର ଓ ଘସିପୂରା ବ୍ଲକ ସହ ଭଦ୍ରକର ଭଣ୍ଡାରିପୋଖରୀ ଏବଂ କଟକ ସଦର ବ୍ଲକର ଝିଙ୍କିରିଆ ଗାଁରେ ବି ବ୍ୟାପିଛି ଝାଡାବାନ୍ତି ।

ଯାଜପୁରରେ ସ୍ଥିତି ଅଣାୟତ୍ତ ହୋଇଥିବାରୁ ଜିଲ୍ଲାକୁ ଘନଘନ ସ୍ବାସ୍ଥ୍ୟ ବିଭାଗର ଟିମ ଗସ୍ତ କରି ସ୍ଥିତି ଯାଞ୍ଚ କରୁଛନ୍ତି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ସହ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟିମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସମୀକ୍ଷା କରିଛନ୍ତି । ହଇଜା ବ୍ୟାପିଥିବା ଅଞ୍ଚଳରେ ପାନୀୟ ଜଳ ବିଶୋଧନ କରାଯାଉଥିବା ବେଳେ ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନାଓ୍ବାଡି କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ରଜରେ ଭୋଜିଭାତ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ରଜ ଛୁଟି ମଧ୍ୟ ବାତିଲ କରାଯାଇଛି ।

ଅନ୍ୟପଟେ ଏବେ ଆକ୍ସନ ମୋଡକୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହୋଟେଲ ଓ ରେସ୍ତୋରାଁ ଉପରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ଅନେକ ହୋଟେଲ ଓ ରେସ୍ତୋରାଁରେ ଅପମିଶ୍ରିତ ଖାଦ୍ୟ ବି ଜବତ କରାଯାଇଛି । ଯାଜପୁରରେ ସରକାରୀ ଭାବେ ଯେଉଁ ୫ଜଣଙ୍କ ମୃତ୍ୟୁ ଖବର ଆସିଛି ସେମାନଙ୍କ ଅଟୋପ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଥିସହିତ ଆଜି କେନ୍ଦ୍ରରୁ ୧୪ ଜଣିଆ ଟିମ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ । ଟିମରେ ଆଇସିଏମଆର, ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଖାଦ୍ୟ ନିରାପତ୍ତାର ଅଧିକାରୀମାନେ ସାମିଲ ଅଛନ୍ତି ।