ଯାଜପୁର ପଣସା ପଞ୍ଚାୟତ ନିକଟରେ ଦବିଲା ବୈତରଣୀ ବ୍ରିଜ

ଯାଜପୁର : ବୈତରଣୀରେ ବନ୍ୟାଜଳ ପ୍ରଭାବରେ ଦବିଲା ବ୍ରିଜ । ଗୋଟିଏ କି ଦୁଇଟା ନୁହେଁ ଏକାବେଳକେ ଦବିଲା ବ୍ରିଜର ୩ଟି ସ୍ପାନ । ଯାଜପୁର ବ୍ଲକ ଚଇନିପୁର ଏବଂ ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୁରୁଣା ବୈତରଣୀ ନଦୀର ବେଲେଶ୍ଵର ନିକଟରେ ଦବିଲା ବ୍ରିଜ । ୨୦୧୪ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା ଏହି ବ୍ରିଜ । ପରିସ୍ଥିତି ପାଇଁ ପ୍ରଶାସନକୁ ହିଁ ଦାୟି କରିଛନ୍ତି ସ୍ଥାନୀୟ ଅଧିବାସୀ । ବେଆଇନ ବାଲି ଉତ୍ତୋଳନ ପାଇଁ ବ୍ରିଜ ଦବିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ କୌଣସି କାର୍ଯ୍ଯାନୁଷ୍ଠାନ ନିଆଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
୧୧ ବର୍ଷ ତଳେ ବିଜୁ ସେତୁ ଯୋଜନାରେ ନିର୍ମାଣ ହୋଇଥିଲା ବ୍ରିଜ୍ । ଯାହା ଉପରେ ଆଖପାଖ ୫ ଟି ପଞ୍ଚାୟତର ଲୋକେ ନିର୍ଭର କରିଆସୁଛନ୍ତି । ଯାଜପୁରରୁ ଭଦ୍ରକକୁ ଯାତାୟାତ ପାଇଁ ଏହା ପ୍ରମୁଖ ରାସ୍ତା । ଦୀର୍ଘଦିନ ଧରି ବାଲି ମାଫିଆ ବ୍ରିଜର ଗୋଟିଏ ମୁଣ୍ଡରେ ବାଲି ଉତ୍ତୋଳନ କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଲୋକେ । ଏବେ ବ୍ରିଜ ଦବିବା ଫଳରେ ପ୍ରଶାସନର ଚେତା ପଶିଛି । ଯନ୍ତ୍ରୀ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରିଜର ଉଭୟ ପାର୍ଶ୍ବକୁ ବାଉଁଶ ଦ୍ବାରା ସିଲ କରାଯାଇ ଯାତାୟାତକୁ ନିଷିଦ୍ଧ କରାଯାଇଛି । ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ତୁରନ୍ତ ବ୍ରିଜର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।