ଏମ୍ସରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ଵର ଏଫଏମ୍ କଲେଜର ଛାତ୍ରୀ

ଭୁବନେଶ୍ବର :  ଭୁବନେଶ୍ଵର ଏମ୍ସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ଵର ଏଫଏମ୍ କଲେଜର ଛାତ୍ରୀ । ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। କଲେଜରେ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର ସହି ନପାରି ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣା ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ଆକ୍ସନ ନ ନେବାରୁ ଚରମ ନିଷ୍ପତ୍ତି ନେଇଥିଲେ ପୀଡ଼ିତା। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସାର ତାଙ୍କୁ ଫେଭର ମାଗୁଥିଲେ। ଫେଭର ନ ଦେଲେ ଫେଲ କରିଦେବି । ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ସମୀର ସାହୁଙ୍କ ନାଁରେ ଏପରି ଅଭିଯୋଗ ସେ ଆଣିଥିଲେ। ଛାତ୍ରୀ ଜଣକ ଇଣ୍ଟିଗ୍ରେଟେଡ B.EDର ଦ୍ଵିତୀୟ ବର୍ଷର ଜଣେ ଛାତ୍ରୀ । ୮ ମାସ ଧରି ନିର୍ଯାତନାର ଶିକାର ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଛାତ୍ରୀ। ଗତକାଲି ସେ ଚରମ ପଦକ୍ଷେପ ନେଇଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ କରୁଛି। ଅଭିଯୁକ୍ତ ସମୀର ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରିନ୍ସପାଲ ଦିଲୀପ ଘୋଷଙ୍କୁ ସରକାର ସସପେଣ୍ଡ କରିବା ସହିତ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛନ୍ତି।