ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାରେ ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼

ବାଲେଶ୍ବର : କିଏ ଆଣିଥିଲା ପେଟ୍ରୋଲ? କିଏ ବାଲେଶ୍ବର ଛାତ୍ରୀଙ୍କୁ ଆତ୍ମଦାହ କରିବାକୁ ଉସୁକାଇଥିଲା? ଅଧ୍ୟକଙ୍କ କକ୍ଷ ପାଖରେ ଝିଅ ସହ କିଏ ଥିଲେ? ଝିଅର ଆତ୍ମାହୁତି ପଛରେ ଥିଲା କାହାର ବିରାଟ ଷଡ଼ଯନ୍ତ୍ର । ସନ୍ଦେହରେ ଜଣେ ଦୁଇଜଣ ଯୁବକ । ଧୀରେ ଧୀରେ କ୍ରାଇମର ମୂଳ ଖୋଜୁଛି କ୍ରାଇମ ବ୍ରାଞ୍ଚ । ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମରେ ଜଣେ ଇନସ୍‌ପେକ୍ଟର, ଫରେନସିକ୍‌ ଏକ୍ସପର୍ଟ ଓ ଆଉ ଦୁଇଜଣ ଅଧିକାରୀ ସାମିଲ ଅଛନ୍ତି । ସେମାନେ ବାଲେଶ୍ବର ଏଫଏମ୍‌ କଲେଜ୍‌ରେ ପହଞ୍ଚି ଜିଲ୍ଲା ପୋଲିସ ପ୍ରଶାସନଠାରୁ ଏଫାଇଆର୍‌ କପି ଓ ସିସିଟିଭି ଫୁଟେଜ୍‌ଗୁଡ଼ିକୁ ସଂଗ୍ରହ କରିଛନ୍ତି । ଖୁବଶୀଘ୍ର ଜଣେ କିମ୍ବା ଦୁଇଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିପାରେ ବୋଲି ଜଣାପଡ଼ିଛି  ।  ଏହାସହିତ କଲେଜ୍‌ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ଫୁଟେଜକୁ ବି ଛାନବିନ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଅଧ୍ୟକକ୍ଷଙ୍କ କକ୍ଷ ପାଖରେ ଥିବା ସିସିଟିଭିରେ ସବୁ କଏଦ ହୋଇଛି । ବାସ୍ତବରେ ଝିଅଟି ନିଜ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗାଇଥିଲା ନା ତାକୁ ନିଆଁ ଲଗାଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିବାକୁ କିଏ ପ୍ରରୋଚିତ କରିଥିଲେ । ଏପରି ମାଳ ମାଳ ପ୍ରଶ୍ନ ଏବେ କ୍ରାଇମବ୍ରାଞ୍ଚ ଆଗରେ । ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ସବୁ ଦିଗକୁ ତର୍ଜମା କରୁଥିବା କହିଛି ।…

କଲେଜ୍‌ ନିକଟରେ ଅନେକ ଘରୋଇ ଲୋକଙ୍କ ଘରେ ବି ସିସିଟିଭି ଲାଗିଛି । ସେସବୁର ଫୁଟେଜ୍‌କୁ ବି ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ୧୨ ତାରିଖ ଦିନ ମଧ୍ୟାହ୍ନ ୧୨ଟା ୩୦ରେ ଯେତେବେଳେ  ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କ ଅଫିସ ସାମନାରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ । ସେତେବେଳେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀ କିପରି ଚୁପଚାପ ଦେଖୁଥିଲେ ? ସେମାନଙ୍କୁ ବି କ୍ରାଇମବ୍ରାଞ୍ଚ ପଚରାଉଚୁରା କରିପାରେ । ଏହାସହିତ କଲେଜ୍‌ର ସିକ୍ୟୁରିଟି ଗାର୍ଡ଼, କଲେଜ୍‌ର ଅଣଶିକ୍ଷକ କର୍ମଚାରୀମାନେ କିପରି ଦେଖଣାହାରୀ ହୋଇ ଚୁପ ରହିଲେ ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବାକୁ ଯାଉଛି କ୍ରାଇମବ୍ରାଞ୍ଚ ବୋଲି ଜଣାପଡ଼ିଛି । ସେପଟେ ଗତ ମାସେ ହେଲାଣି ଛାତ୍ରୀ ଜଣଙ୍କ କଲେଜ ନିକଟରେ ଗୋଟିଏ ମେସ୍‌ରେ ଭଡ଼ାରେ ରହୁଥିଲେ । ଆରମ୍ଭରୁ ହିଁ ଏହି ଘଟଣାକୁ ନେଇ ଷଡ଼ଯନ୍ତ୍ର ଥିବା ନେଇ ବହୁ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିଲେ । ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ଏହି ଘଟଣାର କେତେ ଭିତରକୁ ଯାଇ ଏହି ଘଟଣା ପଛରେ ଜଣେ କି ଏକାଧିକ ଲୋକ ମାଷ୍ଟ୍ରମାଇଣ୍ଡ ଥିଲେ ସତ୍ୟ ଜାଣିବା ପାଇଁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।