ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଟେଣ୍ଡର ବାତିଲ ପ୍ରସଙ୍ଗ: ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ମେଟ୍ରୋ ରେଲ ପ୍ରକଳ୍ପ ଟେଣ୍ଡର ବାତିଲ ହେବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ସାଙ୍ଗକୁ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମୀ ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ମୋ ବସ ରୁଟ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜୁରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧୀ କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଂଜିନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସହରକୁ ଆହୁରି ୧୦ ବର୍ଷ ପଛକୁ ଠେଲିଦେବ ବୋଲି ନବୀନ କହିଛନ୍ତି ।