ନବୀନଙ୍କୁ ମହିଳା ସଶକ୍ତିକରଣ ଚିନ୍ତା, ହକ ଓ ଅଧିକାର ସହ ସାମାଜିକ ସୁରକ୍ଷା ପାଇଁ ଦେଲେ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ରାଜ୍ୟର ମହିଳାଙ୍କୁ ସଶକ୍ତ କରାଯାଇଥିଲା । ସାମାଜିକ, ରାଜନୈତିକ ଓ ଆର୍ଥକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ରାଜ୍ୟର ବିକାଶକୁ ଆଗେଇ ନେଇଥିଲେ ମହିଳା । ନବୀନଙ୍କ ଦୃରଦୃଷ୍ଟି ଯୋଗୁଁ ସ୍ଲୋଗାନ ନୁହେଁ, ମହିଳା ସଶକ୍ତିକରଣ ଏକ ବିପ୍ଳବରେ ପରିଣତ ହୋଇଛି । ମହିଳା ସମାନତା ଦିବସରେ ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସଶକ୍ତ ହେବେ ମା’, ସଶକ୍ତ ହେବ ଓଡ଼ିଶା । ମା’ମାନେ କିଭଳି ସଶକ୍ତ ହେବେ, ସେନେଇ ସବୁବେଳେ ପ୍ରାଥମିକତା ଦେଇ ଆସୁଛି ବିଜୁ ଜନତା ଦଳ । ମହିଳା ସଶକ୍ତିକରଣ ବିଜେଡି ପାଇଁ କେବଳ ସ୍ଲୋଗାନ ନଥିଲା, ଏହାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲା ଦଳ ।  ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରି ସାରା ଦେଶ ପାଇଁ ରୋଲ ମଡେଲ ସାଜିଥିଲା ଓଡ଼ିଶା । ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ । ସବୁଠି ମା’ଙ୍କୁ ମିଳିଛି ହକ ଓ ସମ୍ମାନ । ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ନେଇଥିଲା ବିଜେଡି । ମହିଳା ସମାନତା ଦିବସରେ ଏପରି ଏକ ସମାଜ ଗଢ଼ିବା ପାଇଁ ସଂକଳ୍ପକୁ ଦୃଢ଼ କରିଛି ବିଜେଡି । ଯେଉଁଠି ମହିଳାଙ୍କୁ ବିନା କୌଣସି ବାଧାରେ ଆଗକୁ ବଢ଼ିବାକୁ ଓ ସ୍ୱପ୍ନ ଦେଖିବାକୁ ସମାନ ସୁଯୋଗ ମିଳୁଥିବ । ମହିଳା ସମାନତା ଦିବସରେ ଏଭଳି ଆହ୍ବାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ୧୪ ମାସ ହେବ ରାଜ୍ୟରେ ମହିଳା ଅସୁରକ୍ଷିତ । ଦିନକୁ ଦିନ ନିର୍ଯାତନା ବଢ଼ାବା ସହ କର୍ମ କ୍ଷେତ୍ରରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳୀ ସବୁଠି ତ୍ରାହି ତ୍ରାହି ଡାକିଲେ ମା’ ଭଉଣୀ । ସଶକ୍ତ ହେବେ କ’ଣ ଏବେ ଘରୁ ବାହାରିବାକୁ ଡରୁଛନ୍ତି ମହିଳା । ମହିଳାଙ୍କ ଅଧିକାର ପାଇଁ ବିଜେଡି ଲଢୁଛି ଓ ଆଗକୁ ବି ଲଢ଼େଇ ଜାରି ରଖିବ । ବିରୋଧୀ ଦଳ ଉପନେତା କହିଛନ୍ତି, ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନିଅନ୍ତି, ତାହାକୁ ଦେଶ ଅନୁକରଣ କରେ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ନବୀନ ସବୁବେଳେ କାମ କରନ୍ତି ବୋଲି କହିଛି ବିଜେଡି ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ହୁ ହୁ ହୋଇ ବଢିଚାଲିଛି । ଦେଶ ଓ ବିଦେଶରେ ବଦନାମ ହେଲାଣି ଓଡ଼ିଶା । ତେଣୁ ଏବେ ମହିଳାମାନେ କିପରି ଆଗକୁ ବଢ଼ିବେ ସେନେଇ ସରକାର ସଜାଗ ହେବାକୁ ମହିଳା ସମାନତା ଦିବସରେ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା ।