କାକଟପୁରର ମା’ ମଙ୍ଗଳା ଓ ବଡମ୍ବାର ମା’ ଭଟାରିକାଙ୍କ ପୀଠରେ ଚାଲିଛି ଷୋଳପୂଜା

କୋଣାର୍କ : ସଜେଇ ହୋଇଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ଲାଗୁଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟା ହୁଳହୁଳିରେ କମ୍ପୁଛି ପରିବେଶ । ଧୂପ ଦୀପ ନୈବେଦ୍ୟ ଦେଇ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଶାରଦୀୟ ଦୁର୍ଗାପୂଜା ପାଇଁ ମାଆଙ୍କ ପୀଠରେ ଚାଲିଛି ଶୋଡଶ ଉପଚାର ପୂଜା । ମାଆ ମୂଳାଷ୍ଟମୀ ଦିନଠୁ ଶୟନ ତ୍ୟାଗ କରନ୍ତି । ମାଆଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀରୁ ମାଆଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ସ୍ନାନ କରାଯାଏ । ଷୋଡଶ ଉପଚାର ପୂଜା ସମୟରେ ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତି ଖର୍ପର, ସପ୍ତମୀ ଦିନ ସିଂହ ବାହିନୀ, ଅଷ୍ଟମୀ ଦିନ ମହିଷା ମର୍ଦିନୀ ଓ ନବମୀ ଦିନ ମହା ସରସ୍ବତୀ ବେଶରେ ସଜ୍ଜିତ କରାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ଡୀପାଠ କରାଯାଏ।

ସେପଟେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବା ମାଆ ଭଟାରିକାଙ୍କ ପୀଠ । ମାଆଙ୍କ ପୀଠରେ ଚାଲିଥିବା ଷୋଳ ଦିନାତ୍ମକ ପୂଜାର ଆଜି ଚତୁର୍ଥ ଦିନ । ଆଜି ମାଆ ଭକ୍ତ ମାନଙ୍କୁ ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ ଦର୍ଶନ କରି କୃତାର୍ଥ ମଣୁଛନ୍ତି ଭକ୍ତ ।