ଗଣତି ମଣତି ନକରି ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର…

ପୁରୀ : ୨୩ ତାରିଖରେ ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ଯିବ ମୁଖ୍ୟ ଭଣ୍ଡାର ଘର । ସକାଳ ୭ଟା ୧୭ରୁ  ୧୧ ଟା ୧୭ ମାହେନ୍ଦ୍ର ବେଳାରେ ହେବ ସ୍ଥାନାନ୍ତର । ରତ୍ନ ଭଣ୍ଡାର ସବ କମିଟି ନିଷ୍ପତ୍ତି ପରେ ତେଜିଲା ବିବାଦ । ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସେବାୟତ ଓ ଗଣନାକାର । ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ । ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ଉପରେ ଲାଗିବ କଟକଣା । କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡା ଯିବ ନାହିଁ । ତେବେ ସରକାରଙ୍କ ଷ୍ଟକ ଆଣ୍ଡ ଷ୍ଟୋର ନିୟମ ଅନୁସାରେ ଗଣତି ମଣତି ନକରି ସ୍ଥାନାନ୍ତରକୁ ନେଇ ତେଜୁଛି ବିବାଦ । ସରକାରଙ୍କ ନିଜ ଆଇନ ନିଜେ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ସେପଟେ ସ୍ଥିର ହୋଇଥିବା ମାହେନ୍ଦ୍ର ବେଳା ସଠି ନୁହେଁ ବୋଲି କହିଛନ୍ତି ଗଣନାକାର ।

ରତ୍ନ ଭଣ୍ଡାର ଖୋଲିବା ଠାରୁ ଆରମ୍ଭ କରି ଅଳଙ୍କାର ସ୍ଥାନାନ୍ତର ତଥା ମରାମତି ଯାଏଁ ହୋଇ ପାରିଲାନି ଗଣତିମଣତି । ରତ୍ନର ସ୍ଥିତି ନେଇ କୌଣସି ସଠିକ ଆକଳନ କରା ନଯାଇ ସ୍ଥାନାନ୍ତର ହେବାକୁ ଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସେବାୟତ ସନ୍ଦେହ ବ୍ଯକ୍ତ କରିଛନ୍ତି । ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଗଣତି ମଣତି ନ କରି ସ୍ଥାନାନ୍ତର କରିବା ନିଷ୍ପତ୍ତି କେବଳ ଏକ ପ୍ରହସନ ବୋଲି ସେବାୟତ ଖୋଲାଖୋଲି କହିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି କେବେ କରାଯିବ ତାହା ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଥିବାବେଳେ ଯାହାକୁ ନେଇ ସେବାୟତଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।