ଖୋଲୁଛି ବାବା ଚୈତନ୍ୟାନନ୍ଦଙ୍କ ଅନେକ ଗୁମର ; ୩ ମହିଳା ସହଯୋଗୀ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ବିବାଦୀୟ ଗଡମ୍ୟାନ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଖୋଲିଛି ଆଉ ଅନେକ ଗୁମର। ଜେରାର ସମ୍ମୁଖୀନ ହୋଇଥିବା ବାବାଙ୍କ ୩ ମହିଳା ସହଯୋଗୀଙ୍କୁ ଗିରଫ କରାଯାଇଛି। ବାବାଙ୍କ ଚାପରେ ସେମାନେ ଛାତ୍ରୀମାନଙ୍କୁ ବିଭିନ୍ନ ଅସାଧୁ କାର୍ଯ୍ୟକଳାପରେ ଲିପ୍ତ କରିବା ଦିଗରେ କାର୍ଯ୍ୟ କରୁଥିଲେ। ଗିରଫ ୩ ମହିଳା ହେଲେ ଆସୋସିଏଟ ଡିନ ଶ୍ବେତା ଶର୍ମା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବନା କପିଲ ଓ ସିନିଅର ଫାକଲ୍ଟି କାଜଲ। ଛାତ୍ରୀଙ୍କୁ ଧମକ ଦେବା, କୁକାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବା, ପ୍ରମାଣ ନଷ୍ଟ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

ବାବାଙ୍କ ନିକଟରୁ ୩ଟି ଫୋନ ଓ ଗୋଟିଏ ଆଇପ୍ୟାଡ ଜବତ କରାଯାଇଛି। ଗୋଟିଏ ଫୋନରେ କ୍ୟାମ୍ପସ ଓ ହଷ୍ଟେଲର ସିସିଟିଭି ଫୁଟେଜର ଆସେସ ରହିଥିଲା। ବାବାଙ୍କ ନିକଟରେ ଥିବା ୮ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ବି ସିଜ କରାଯାଇଛି। ବାବାଙ୍କ ବିରୋଧରେ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ୧୭ ଛାତ୍ରୀ ଅଭିଯୋଗ ଆଣିବା ପରେ ଗିରଫ ହୋଇଥିଲେ ବାବା। ପୋଲିସ ହେପାଜତରେ ଥାଇ ଆଶ୍ରମରେ ଚାଲିଥିବା ବିଭିନ୍ନ କେଳଙ୍କାରୀ ସମ୍ପର୍କରେ ସୂଚନା ଦେବାରେ ଲାଗିଛନ୍ତି ବାବା। ଆଶ୍ରମ ସମ୍ପର୍କରେ ଅନେକ ଗୋପନୀୟ ତଥ୍ୟ ପୋଲିସ ହାତରେ ବି ଲାଗିଛି। ଗତ ରବିବାର ଆଗ୍ରାର ଏକ ହୋଟେଲରୁ ଗିରଫ କରାଯାଇଥିଲା।